ମୋଦିଙ୍କୁ ଆଧାର ଚିନ୍ତା ! ଦଳ ଭିତରୁ ଆସିଲା ବିରୋଧର ସ୍ୱର

35

କନକ ବ୍ୟୁରୋ : ମୋଦି ସରକାର ଦେଶର ସୁରକ୍ଷା ପାଇଁ ଆଧାର ବାଧ୍ୟତାମୂଳକ କହିବା ସହ ବିଭିନ୍ନ ସେବା ଯଥା ମୋବାଇଲ , ବ୍ୟାଙ୍କ ଓ ଏଲପିଜି ସହ ଆଧାର ଲିଙ୍କକୁ ଗୁରୁତ୍ୱ ଦେଉଛନ୍ତି । ମୋବାଇଲ ସହ ଆଧାର ସଂଯୋଗ ବାଧ୍ୟତାମୂଳକ ନିୟମକୁ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧ କରୁଥିବା ବେଳେ ଏବେ ଏହାକୁ ନେଇ ନିଜ ଦଳରୁ ବି ବିରୋଧର ସାମ୍ନାକରିବାକୁ ପଡୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ । ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମୋବାଇଲ ସହ ଆଧାର ସଂଯୋଗ ବାଧ୍ୟତାମୂଳକ ନିୟମକୁ ବିରୋଧ କରିଛନ୍ତି ।

ସୁବ୍ରମଣ୍ୟମ ଟ୍ୱିଟ କରି କହିଛନ୍ତି ଆଧାରକୁ ବାଧ୍ୟତାମୂଳକ କରିବା ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟିକରିବ । ତା ସହ ଏହା କିପରି ବିପଦ ସୃଷ୍ଟି କରିବ ସେ ନେଇ ସ୍ୱାମୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି । କେବଳ ସେତିକି ନୁହେଁ , ସୁପ୍ରିମକୋର୍ଟ ତାଙ୍କ ନଷ୍ପତ୍ତି ପରିବର୍ତନ କରିବେ ବୋଲି ସେ ଆଶାବାଦୀ ଅଛନ୍ତି ବୋଲି ଟ୍ୱିଟ କରିଛନ୍ତି ।

ନିଜ ମୋବାଇଲ ଫୋନ୍ କୁ ଆଧାର ଲିଙ୍କ କରିବେନି ବୋଲି ଖୋଲା ଚେତାବନୀ ଦେବା ସହ କେନ୍ଦ୍ରର ଏହି ନିୟମ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମତା ବାନାର୍ଜୀ । ଗତକାଲି ଆଧାର କାର୍ଡ ଲିଙ୍କ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ । ମୋବାଇଲ ଫୋନ୍ ନମ୍ବରକୁ ଆଧାର ଲିଙ୍କ କରିବା ସଂପର୍କିତ ନିୟମ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମମତା ବାନାର୍ଜୀ ।

ଯାହାକୁ ନେଇ ମମତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ ଆଧାରର ବୈଧତା ନେଇ ମମତା ବାନାର୍ଜୀଙ୍କ ପଶ୍ଟିମବଙ୍ଗ ସରକାର ଉଠାଇଥିବା ପ୍ରଶ୍ନ ଉପରେ କଡା ଆଭିମୁଖ୍ୟ ଦେଖାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ନିୟମକୁ ରାଜ୍ୟ ସରକାର ଚ୍ୟାଲେଂଜ କରିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଏ.କେ. ସିକ୍ର ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ମମତାଙ୍କୁ ଭତ୍ସନା କରି କହିଛନ୍ତି, ଆଧାର ସମ୍ବନ୍ଧିତ ବିବାଦର ପରୀ କ୍ଷା କରାଯିବ କିନ୍ତୁ ସଂସଦରେ ପାସ ହୋଇଥିବା ନିୟମ ବିରୋଧରେ ପିଟିସନ ଆବେଦନ କରିପାରିବେ ନାହିଁ ରାଜ୍ୟସରକାର ।

ସେହିପରି ଖଣ୍ଡପୀଠ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସେ ବ୍ୟକ୍ତିଗତ ଭାବେ କୋର୍ଟରେ ଆବେଦନ କରିପାରିବେ । ଯେଉଁଥିରେ କୁହାଯାଇଥିଲା ଆଧାର କାର୍ଡ ବିନା ସାମାଜିକ ସୁରକ୍ଷା ସ୍କିମ ଲାଭ ବଢାଯାଇପାରିବ ନାହିଁ । ବ୍ୟକ୍ତିଗତ ଭାବେ ଯେକେହି ଆବେଦନ କରିପାରିବେ , କିନ୍ତୁ ରାଜ୍ୟ ସରକାର କରିପାରିବେ ନାହିଁ । ସାଧାରଣ ନାଗରିକ ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆବେଦନ କଲେ ତାହାର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ କହିଥିଲେ ।