କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସବ ଇନସପେକ୍ଟର ଶୁଭଶ୍ରୀ ନାୟକ । ଏଥର କେବଳ ଓଡିଶାରେ ନୁହେଁ ବରଂ ତାଙ୍କ ଚର୍ଚ୍ଚା ସୂଦୁର ଝାଡଖଣ୍ଡକୁ ଲମ୍ବିଛି । ଅସହାୟଙ୍କୁ ସାହାଯ୍ୟ ସହଯୋଗ କରି ଲୋକଙ୍କ ହୃଦୟ ଜିଣିଥିବା ମହିଳା ପୋଲିସ ଅଫିସର ଶୁଭଶ୍ରୀ ଏବେ ପଡୋଶୀ ରାଜ୍ୟର ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି । ଆଉ ଝାଡଖଣ୍ଡର ଜଣେ ଯୁବକଙ୍କୁ ମାଲକାନଗିରିରୁ ତାଙ୍କ ଘରକୁ ପଠାଇ ମାଆ କୋଳକୁ ପୁଅକୁ ଫେରାଇବାକୁ ଯାଉଛନ୍ତି ।

Advertisment

ତେବେ ସବୁଦିନ ପରି ସୋମବାର ଦିନ ମଧ୍ୟ ଶୁଭଶ୍ରୀ ରାତିରେ ପାଟ୍ରୋଲିଂ ପାଇଁ ବାହାରିଥିଲେ ଆଉ ରାସ୍ତାରେ ଯାଉଥିବା ବେଳେ ଯାତ୍ରୀ ବିଶ୍ରାମାଗାରରେ ଜଣେ ଅଜଣା ଯୁବକଙ୍କୁ ଦେଖି ତାଙ୍କୁ ପଚରାଉଚରା କରିଥିଲେ । କଥାବାର୍ତ୍ତାରୁ ତାଙ୍କ ମାନସିକ ଅବସ୍ଥା ଠିକ ନଥିବା ଜାଣିବାକୁ ପାଇଥିବା ବେଳେ ଅଚିହ୍ନା ଯୁବକଙ୍କୁ ଥାନାକୁ ନେଇ ଆସିଥିଲେ । ତେବେ ମେଡିକାଲ ଚିକିତ୍ସା ପରେ ଯୁବକ ଜଣଙ୍କ ସୁସ୍ଥ ହୋଇଥିଲେ ଆଉ ନିଜ ସୁନ୍ଦ ଗୋପ, ଘର ଝାଡଖଣ୍ଡ ସରେଇକେଲା ଜିଲ୍ଲା ଚାମରୁଡି ଗାଁରେ ବୋଲି କହିଥିଲେ ।

୨୦୧୮ରେ ସୁନ୍ଦର କାମଧନ୍ଦା ପାଇଁ ଓଡିଶା ଆସିଥିଲେ । ପ୍ରଥମେ ସମ୍ବଲପୁର ପରେ ବିଭିନ୍ନ ହୋଟେଲରେ କାମ କରି କଟକ ଦେଇ ମାଲକାନଗିରିରେ ପହଞ୍ଚିଥିଲେ । ଆଉ ଶୁଭଶ୍ରୀଙ୍କ ଶୁଭ ନଜର ତାଙ୍କ ଉପରେ ପଡିବା ପରେ ସେ ଏବେ ଘରକୁ ଫେରିବାକୁ ଯାଉଛନ୍ତି ।ସେପଟେ ପୁଅ ଘରକୁ ଫେରୁଥିବାରୁ ବେଶ ଖୁସି ଅଛନ୍ତି ଝାଡଖଣ୍ଡର ସୁନ୍ଦରଙ୍କ ପରିବାର ଓ ଗାଁ ଲୋକେ । ହଜିଲା ପୁଅକୁ ଫେରାଇ ଦେଇଥିବାରୁ ମାଲକାନଗିରି ପୋଲିସ ଏବଂ ଶୁଭଶ୍ରୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ତେବେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାମ କରି ମଣିଷପଣିଆର ପରିଚୟ ଦେଇଥିବା ଶୁଭଶ୍ରୀ ଏବେ ଅଚିହ୍ନା ଯୁବକଙ୍କୁ ସାହାଯ୍ୟ କରି ନିଜ ମାନବିତାର ମାଇଲଖୁଣ୍ଟକୁ ଝାଡଖଣ୍ଡ ଯାଏଁ ଲମ୍ବାଇଛନ୍ତି ।