କନକ ବ୍ୟୁରୋ : ନିିତ୍ୟାନନ୍ଦ ନୁହେଁ , ବସ୍ତାରୁ ଲଢ଼ିବେ ସୁବାସିନୀ । ସୁବାସିନୀ ହିଁ ବସ୍ତା ଲୋକଙ୍କ ନେତୃତ୍ୱ ନେବେ । ବାଲେଶ୍ୱର ଜିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ଜନସମ୍ପର୍କ ପଦଯାତ୍ରାରେ ଏମିତି ଘୋଷଣା କରିଛନ୍ତି ମନ୍ତ୍ରୀ ଅଶ୍ୱିନୀ ପାତ୍ର । ବସ୍ତା ବିଧାୟକ ନିିତ୍ୟାନନ୍ଦ ସାହୁ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ । ନିତ୍ୟାନନ୍ଦଙ୍କ ଘରଠାରୁ ଅଳ୍ପ କିଛି ଦୂରରେ ସଭା ହୋଇଥିଲେ ବି ସେ ଯୋଗ ଦେଇନଥିଲେ । ବିଧାୟକ ନଥିବାବେଳେ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶ୍ୱିନୀ ପାତ୍ରଙ୍କ ଏଭଳି ଘୋଷଣା ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସଭାରେ ବାଲେଶ୍ୱର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମ୍ମୁଖରେ ବିଧାୟକ ପ୍ରାର୍ଥୀ ଭାବେ ଦଳର କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନାଙ୍କ ନାମ ଘୋଷଣା କରିବା, କେଉଁଠି ନା କେଉଁଠି ଭିନ୍ନ ବାର୍ତା ଦେଉଛି । ଗୋଟିଏ ପଟେ ଟିକେଟ ପାଇଁ ଆଶାୟୀଙ୍କ ସଂଖ୍ୟା ଲମ୍ବି ଚାଲିଛି । ଟିକେଟ ଆଶାରେ ନେତାମାନେ ନିଜ ନିଜ ଢ଼ଂଗରେ ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ବହୁ ବିଧାୟକ ସେମାନଙ୍କ ଟିକେଟ କଟିବା ଆଶଙ୍କାରେ ରହିଛନ୍ତି ।

ଏଭଳି ସମୟରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଆଗୁଆ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା, ଆଲୋଚନାର ବିଷୟ ହୋଇଛି । କିଛି ଦିନ ତଳେ ପୂବର୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସମାନ ଢ଼ଂଗରେ ଧାମନଗରରେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତାହା ଘୋଷଣା କରିଥିଲେ । ଆମେ ସମସ୍ତେ ଜାଣିଛେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟିକେଟ ବାଂଟିଥାନ୍ତି । କିଏ କେଉଁଠୁ ପ୍ରାର୍ଥୀ ହେବେ ଘୋଷଣା କରିଥାନ୍ତି । କିନ୍ତୁ ଏବେ ନେତା ଓ ମନ୍ତ୍ରୀମାନେ ଆଗୁଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସମସ୍ତଙ୍କୁ ଚକିତ କରିଛି ।