କନକ ବ୍ୟୁରୋ : ସମ୍ବଲପୁର ସାଂସଦ ଲୋକପ୍ରିୟତା ହରାଇ ସାରିଛନ୍ତି । ସେ ସାଂସଦ ଭାବେ ଛିଡା ହେଲେ ହାରିବେ, ବିଧାୟକ ଭାବେ ଛିଡା ହେଲେ ମଧ୍ୟ ହାରିବେ । ସେ ଛିଡା ହେଲେ ହାରିବାଟା ନିଶ୍ଚିତ । ସମ୍ବଲପୁରର ବିଜେପି ସାଂସଦ ନୀତିଶ ଗଙ୍ଗଦେବଙ୍କୁ ନେଇ କିଛି ଏଭଳି ବୟାନ ରଖିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସୁବାସ କହିଛନ୍ତି, ପାରିବାରିକ ବିବାଦ କାରଣରୁ ନୀତିଶଙ୍କର ଆଉ ଲୋକପ୍ରିୟତା ନାହିଁ । ତେଣୁ ସେ ଛିଡା ହେଲେ ହାରିବା ପକ୍କା । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଲଢେଇ କାରଣରୁ ନୀତିଶ ଲୋକପ୍ରିୟତା ହରାଇଛନ୍ତି ।

Advertisment

ପାରିବାରିକ ବିବାଦ ବଢିବା ପରେ ସାଂସଦ ନୀତିଶ ଗଙ୍ଗଦେବ ଲୋକଙ୍କ ପାଖକୁ ଯାଉନାହାନ୍ତି କି ଲୋକଙ୍କ ସାଥୀରେ ଛିଡା ହେଉନାହାନ୍ତି । କୌଣସି କାମ କରୁନଥିବାରୁ ଲୋକ ତାଙ୍କୁ ଘୃଣା କରୁଛନ୍ତି । ଦେବଗଡରୁ ମଧ୍ୟ ସେ ବିଧାୟକ ଛିଡା ହେବେନି । ତାଙ୍କର ପତ୍ନୀ ଦେବଗଡରୁ ବିଜେଡି ଟିକେଟରୁ ଛିଡା ହେବେ ବୋଲି କହୁଛନ୍ତି । ଏବେ ନୀତିଶ ଗୃହବନ୍ଦୀ ହୋଇ ରହିବେ । ନୀତିଶ ଆଉ ନିର୍ବାଚନ ନ ଲଢିବା ଭଲ । ମୁଁ ଦେବଗଡରୁ ଓ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲଢିବେ ବୋଲି କହିଛନ୍ତି ସୁବାସ ।

କେବଳ ଏତିକି ନୁହେଁ ଏହାପୂର୍ବରୁ ସୁବାସ କହିଥିଲେ, ସମ୍ବଲପୁର ଧର୍ମେନ୍ଦ୍ରଙ୍କ ପାଇଁ ସୁବୁଠୁ ସୁରକ୍ଷିତ ଆସନ । ସମ୍ବଲପୁରୁ ନିର୍ବାଚନ ଲଢନ୍ତୁ ଧର୍ମେନ୍ଦ୍ର । ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ବିରୁଦ୍ଧରେ ଯିଏ ଲଢିବ ତାହାର ପରାଜୟ ନିଶ୍ଚିତ । ଧର୍ମେନ୍ଦ୍ରଙ୍କ ବ୍ୟକ୍ତିତ୍ଵ ଓ ଲୋକପ୍ରିୟତା ଯୋଗୁଁ ରାଜ୍ୟରେ ସେ ଯେଉଁଠୁ ଛିଡ଼ା ହେବେ ଜିତିବେ। ଦେବଗଡ଼ ସଂସଦୀୟ କ୍ଷେତ୍ର ଥିବାବେଳେ ଏଠାରୁ ଲଢି ଧର୍ମେନ୍ଦ୍ର ଜିତିଥିଲେ । ସେତେବେଳେ ଏଠାରେ ଅନେକ କାମ ହୋଇଛି । ବିଜେପି ମଧ୍ୟ ଚାହୁଁଛି ସମ୍ବଲପୁରରୁ ଲଢନ୍ତୁ ଧର୍ମେନ୍ଦ୍ର । ପଶ୍ଚିମ ଓଡ଼ିଶାବାସୀ ଚାହୁଁଛନ୍ତି ଧର୍ମେନ୍ଦ୍ର ଲଢନ୍ତୁ । ସମ୍ବଲପୁରରୁ ଧର୍ମେନ୍ଦ୍ର ଲଢିଲେ ପଶ୍ଚିମ ଓଡ଼ିଶାରେ ବିଜେପି ଭଲ ଫଳାଫଳ କରିବ ବୋଲି କହିଛନ୍ତି ସୁବାସ ।