ବିଜେପି ଛାଡିବେ ସୁବାସ ଚୈାହାନ ! ବରଗଡ଼ ଲୋକସଭା ଆସନ ପାଇଁ ଟିକେଟରୁ ବଂଚିତ ହେବା ପରେ ପରୋକ୍ଷରେ ଦେଲେ ସୂଚନା

471

କନକ ବ୍ୟୁରୋ : ବରଗଡ଼ ଲୋକସଭା ଆସନ ଟିକଟରୁ ବାଦ୍ ପଡ଼ିଥିବା ବିଜେପି ନେତା ସୁବାସ ଚୌହାନ ଦଳ ଛାଡ଼ିବେ ବୋଲି ପରୋକ୍ଷ ସୂଚନା ଦେଇଛନ୍ତି। ଗତ ନିର୍ବାଚନରେ କମ୍ ଭୋଟ ବ୍ୟବଧାନରେ ହାରିଥିଲେ। ଏଥର ଜୋରଦାର ସାଂଗଠନିକ କାର‌୍ୟ୍ୟ ଚଳାଇଥିଲେ। ତେବେ ତାଙ୍କୁ ଟିକଟରୁ ବଞ୍ଚିତ କରାଗଲା। ଏଥିପାଇଁ ତାଙ୍କ ସମର୍ଥକମାନେ ଜୋରଦାର ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ବୋଧ ଦେବା ଭଳି ତାଙ୍କୁ ଦଳର ରାଜ୍ୟ ଉପସଭାପତି କରାଯାଇଥିଲା।

 

ଏମିତିକି ବିଜେପୁର ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ିବାକୁ ବି କୁହାଯାଇଥିଲା। ଏହା ପରର ଘଟଣାକ୍ରମ ନେଇ ସୁବାସ କ୍ଷୁବ୍ଧ ହୋଇଥିବା ଜଣାପଡ଼ିଛି। ସିଧାସଳଖ ପ୍ରତିକ୍ରିୟା ଦେଉନଥିଲେ ମଧ୍ୟ ଭିତରେ ଭିତରେ ଦଳ ଛାଡ଼ିବାକୁ ମନସ୍ଥ କରିଥିବା ସୂଚନା ମିଳିଛି। ଏନେଇ ସୁବାସଙ୍କ ମୋବାଇଲରୁ ପ୍ରେରିତ ଏକ ହ୍ବାଟ୍ସଆପ୍ ମେସେଜ୍ ଗଣମାଧ୍ୟମର ହସ୍ତଗତ ହୋଇଛି। ଏଥିରେ ସେ ଦର୍ଶାଇଛନ୍ତି ଯେ, “ଗତ ୨୦୧୪ ନିର୍ବାଚନରେ ଓଡ଼ିଶାର ବିଜେପି ପ୍ରାର୍ଥୀମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ପାଇଥିଲି। ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ଦଳ ପାଇଁ ପରିଶ୍ରମ ଜାରି ରଖିଥିଲି। ବିଜେପିକୁ ସମର୍ଥନ ଦେବା ଲାଗି ବରଗଡ଼ବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଟିକଟ କାଟି ଦିଆଗଲା। ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା। ଦଳର ବରିଷ୍ଠ ନେତାମାନେ ମୋର କାର୍ଯ୍ୟକର୍ତ୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ। ଯାହା ବି ହେଉ, ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶ ଉପସଭାପତି ଦାୟିତ୍ୱ ଦେଲା ଏବଂ ବିଜେପୁର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିର୍ଦ୍ଦେଶ ଦେଲା। କିନ୍ତୁ ବିଜେପୁରରେ ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ରବାବୁଙ୍କ ଭଳି ଜଣେ ବିତ୍ତଶାଳୀ, ଶକ୍ତିଶାଳୀ ଲୋକ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲି। ଏଥିପାଇଁ ମତେ ଭୟଙ୍କର ଅପମାନ କରାଯାଇ ବିଜେପିରୁ ବାହାରି ଯିବାକୁ ଧମକ ଦିଆଗଲା। ମୁଁ ସମ୍ମାନ ରକ୍ଷା ସହିତ ସମସ୍ତ ପଦ ପଦବୀରୁ ଅବ୍ୟାହତି ଦେବାକୁ ରାଜ୍ୟ ସଭାପତିଙ୍କୁ ଜଣାଇ ଦେଇଛି” ବୋଲି ସେ ଏହି ମେସେଜରେ ଦର୍ଶାଇଛନ୍ତି। ଏହାବାଦ ଏଥର କୌଣସି ନିର୍ବାଚନ ଲଢ଼ିବି ନାହିଁ ବୋଲି ଶ୍ରୀ ଚୌହାନ ଏହି ମେସେଜରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ସମର୍ଥକମାନେ ସୁବାସ ଶୀଘ୍ର ବିଜେପି ଛାଡ଼ିବେ ବୋଲି କହୁଛନ୍ତି।