କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ବରଗଡ ବିଜେପିକୁ ପୁଣି ଏକ ବଡ ଝଟକା । ପଦ୍ମ ଶିବିରକୁ ବାଏ ବାଏ କରି ବିଜେଡି କ୍ୟାମ୍ପରେ ଏଣ୍ଟ୍ରି ମାରିଛନ୍ତି ୯ ଜଣ ଜିଲ୍ଲା ପରିଷଦ ସଦସ୍ୟ । ଯାହା ବିଜେପି ଶିବିରରେ ଛନକା ପୂରାଇଛି । ଆଉ ଏହାସହ ବରଗଡରେ ଜିଲ୍ଲା ପରିଷଦର ସ୍ଥିତି ସମ୍ପୂର୍ଣ୍ଣ ଭାବେ ଓଲଟି ଯାଇଛି । ଗୋଟିଏ ପଟେ ନିର୍ବାଚନ ପୂର୍ବରୁ ଏହା ବିଜେପିକୁ ବ୍ୟାକଫୁଟକୁ ଠେଲି ଦେଇଥିବା ବେଳେ ବିଜେଡି ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ବିଜେପି ଦଖଲରେ ଥିବା ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷ ଆସନକୁ ନେଇ ଏବେ ସସପେନ୍ସ ଦେଖାଦେଇଛି । କୁହାଯାଉଛି ଏହା ପଛର ମୁଖ୍ୟ ନାୟକ ଭାବେ ଉଭା ହୋଇଛନ୍ତି ସଜ ସଜ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିବା ସୁବାସ ଚୌହାନ ।
ବିଜେଡିକୁ ଆସୁ ଆସୁ ଦେଖିବାକୁ ମିଳିଛି ସୁବାସଙ୍କ ଇଫେକ୍ଟ । ସୁବାସଙ୍କ ପଛେ ପଛେ ଦଳ ଛାଡିଛନ୍ତି ୯ ଜିଲ୍ଲା ପରିଷଦ ସଦସ୍ୟ । ଆଉ ଏହି ଗୋଟିଏ ଝଟକାରେ ଭୁଷୁଡି ପଡିଛି ବିଜେପିର ଏହି ଦୁର୍ଗ । ସୁବାସଙ୍କ ଅସନ୍ତୁଷ୍ଟ କରିବା ଏବେ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଯେଉଁ ପଞ୍ଚାୟତସ୍ତରର ସିପାହୀଙ୍କୁ ନେଇ ବିଜେପି ଯୁଦ୍ଧ ମୈଦାନକୁ ଓହ୍ଲାଇବାକୁ ଷ୍ଟ୍ରାଟେଜି କରିଥିଲା ତାହାକୁ ପାଣିଚିଆ କରି ଦେଇଛନ୍ତି ସୁବାସ ।
ଏହାପୂର୍ବରୁ ଗତ ପଞ୍ଚାୟତ ନିର୍ବାଚନରେ ବରଗଡରେ ବିଜେପିକୁ ଜୀବନ୍ୟାସ ଦେଇଥିଲେ ସୁବାସ । କେବଳ ଯେ ବରଗଡ ତାହା ନୁହେଁ ବରଂ ସୁବାସଙ୍କୁ ସାଥ କରି ପଶ୍ଚିମ ଓଡିଶାରେ ଦମଦାର ପ୍ରଦର୍ଶନ କରିଥିଲା ବିଜେପି । ଖାସକରି ପଞ୍ଚାୟତ ନିର୍ବାଚନରେ ବରଗଡରେ ନିଜର ସାଙ୍ଗଠନିକ ଦକ୍ଷତା ବଳରେ ସୁବାସ ଚୌହାନ ଏଠାରେ ପଦ୍ମ ଫୁଟାଇ ପାରିଥିଲେ । ମୋଟ ୩୪ଟି ଆସନ ମଧ୍ୟରୁ ୨୫ଟି ଆସନରେ ଗେରୁଆ ବାନା ଉଡାଇଥିଲା ବିଜେପି । ଆଉ ମାତ୍ର ୯ଟି ଆସନରେ ଶାସକ ବିଜେଡିକୁ ସନ୍ତୁଷ୍ଟ ହେବାକୁ ପଡିଥିଲା । ଆଉ ଏହାସହ ଜିଲ୍ଲା ପରିଷଦ ଦଖଲ କରିଥିଲା ବିଜେପି ।
କିନ୍ତୁ ସୁବାସ ବିଜେଡିରେ ଯୋଗ ଦେବା ପରେ ବରଗଡରେ ପୂରା ସମୀକରଣ ବଦଳିଯାଇଛି । ଖାସକରି ୯ ଜିଲ୍ଲା ପରିଷଦ ସଦସ୍ୟ ପଦ୍ମ ଶିବିରକୁ ବାଏ ବାଏ କରି ଶଙ୍ଖ ଧରିଥିବା ବେଳେ ଏହା ଜିଲ୍ଳା ରାଜନୀତି ଉପରେ ବଡ ପ୍ରଭାବ ପକାଇଛି । ବିଜେପିରୁ ୯ ସଦସ୍ୟ ଇସ୍ତଫା ଦେବା ପରେ ଏବେ ଦଳର ଜିଲ୍ଲା ପରିଷଦ ସଭ୍ୟ ସଂଖ୍ୟା ୧୬କୁ ଖସି ଆସିଛି । ସେହିଭଳି ଏହି ୯ ସଭ୍ୟ ବିଜେଡିରେ ଯୋଗ ଦେବା ପରେ ଦଳର ସଭ୍ୟ ସଂଖ୍ୟା ୧୮ରେ ପହଞ୍ଚିଛି । ଆଉ ଏହି ସମୀକରଣ ପରେ ଜିଲ୍ଲା ପରିଷଦୠଠନ ପାଇଁ ସଂଖ୍ୟା ଗଣିତରେ ପଛରେ ପଡି ଯାଇଛି ବିଜେପି । ଆଉ ବିଜେଡି ପାଇଁ ଜିଲ୍ଲା ପରିଷଦ ଗଠନ କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।