ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଲଢନ୍ତୁ ଧର୍ମେନ୍ଦ୍ର । ଟିକେଟ କଟିବା ପରେ ସୋସିଆଲ ମିଡିଆରେ ସୁବାସଙ୍କ ଶାଣିତ ସ୍ୱର ।

୨୦୧୯ ପାଇଁ ଦଳ ନିର୍ଦ୍ଦେଶ ଦେଲେ ସେ ଲଢିବାକୁ ପ୍ରସ୍ତୁତ ଥିବା ବାରମ୍ବାର ପୂର୍ବରୁ ଗଣମାଧ୍ୟମକୁ କହିଥିଲେ । କିନ୍ତୁ ଏଯାଏଁ ଧର୍ମେନ୍ଦ୍ର ନିଜ ପାଇଁ ଆସନଟିଏ ରଖିନାହାନ୍ତି । ଆଉ ଏହି ଦୁର୍ବଳତମ ଦିଗକୁ ଟାର୍ଗେଟ କରି ସୁବାସ ଚୈହ୍ୱାନ ନିଜ ମନରେ ଥିବା କ୍ରୋଧକୁ ପରିପ୍ରକାଶ କରିଥିବା ଅନୁମାନ କରାଯାଉଛି ।

1,580

ଶେଷରେ ସୁବାସ ଚୈହ୍ୱାନ ସେଇକଥା କହି ଦେଇଛନ୍ତି, ଯାହା ରାଜ୍ୟ ବିଜେପି ସଂଗଠନରେ ପ୍ରକାଶ କରିବା ପାଇଁ କେହି ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିପାରନ୍ତି ନାହିଁ । ଓଡିଶାରେ ଦଳର ଚେହେରା ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ଖୋଲାଖୋଲି ମତ ରଖିଛନ୍ତି, ଏପରିକି କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି, ୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିଜେପୁରରୁ ନିର୍ବାଚନ ଲଢିବାକୁ ।

୨୦୧୪ରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନରୁ ରାଜ୍ୟରେ ସଂଗଠନ ଉପରେ ନିଜର ଅଧିକାର ସାବ୍ୟସ୍ତ କରି ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯଦିଓ ସଭାପତି ଚଉକିରେ ବସନ୍ତ ପଣ୍ଡା ବସିଛନ୍ତି, ହେଲେ ସେ କେବଳ ନାମକୁ ମାତ୍ର । ଏକଥା କାହାକୁ ଅଛପା ନାହିଁ ଯେ, ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ଅନୁମତିରେ ପତ୍ର ବି ହଲେନି । ମାତ୍ର ଟିକେଟ ଚୟନ ଓ ପ୍ରାର୍ଥୀ ତାଲିକା ଘୋଷଣାର ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀଙ୍କ ବିରୁଦ୍ଧେରେ ଧୀରେ ଧୀରେ ଅସନ୍ତୋଷ ଦାନା ବାନ୍ଧୁଛି ।

୨୦୧୯ ପାଇଁ ବରଗଡରୁ ସାଂସଦ ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ ବରିଷ୍ଠ ନେତା ସୁବାସ ଚୈହ୍ୱାନ । ଆଶା ରଖିବା ମଧ୍ୟ ସ୍ୱାଭାବିକ, କାରଣ ୨୦୧୪ରେ ସେ ୧୧ ହଜାର ଭୋଟରେ ପରାସ୍ତ ହୋଇଥିଲେ । ହେଲେ ବିଜେପି ତାଙ୍କୁ ଟିକେଟ ଦେଲାନାହିଁ । ତାଙ୍କ ସ୍ଥାନରେ ସୁରେଶ ପୁଜାରୀଙ୍କୁ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରିଦେଲା ଦଳ । ଯାହା ପୂରା ସମୀକରଣକୁ ବିଗାଡିଦେଲା । ଅସନ୍ତୁଷ୍ଟ ହେଲେ ସୁବାସ, ଆଉ ତାଙ୍କୁ ରାଜ୍ୟ ଉପସଭାପତି କରି ଦଳ ମାନଭଂଜନ କରିବାକୁ ଚେଷ୍ଟା କଲା । ହେଲେ ଏଥିରେ ସୁଫଳ ମିଳିଲା ନାହିଁ ।

ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି । ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ । ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି । ବିଜେପିକୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ ଲୋକସଭା ବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଲୋକସଭା ଟିକଟ କାଟି ଦିଆଗଲା ।

ସୁବାସ ଚୈାହାନ, ବିଜେପି ନେତା

ସୁବାସ ଚୈାହାନଙ୍କ ଏହି ପ୍ରତିକ୍ରିୟା ସ୍ପଷ୍ଟ ପ୍ରମାଣିତ କରୁଛି, ତାଙ୍କ ଟିକେଟ କଟିବାକୁ ସେ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏପରିକି ତାଙ୍କ କର୍ମୀଙ୍କୁ ଧମକ ଚମକ ଦେଉଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଏହି ବରିଷ୍ଠ ନେତା । ଆଉ ନିଜ ଫେସବୁକ ପୋଷ୍ଟର ଶେଷ ଆଡକୁ ଯେଉଁ କିଛି ଉକ୍ତି ସେ ରଖିଛନ୍ତି, ତାହା ରାଜ୍ୟ ବିଜେପିରେ କମ୍ପନ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି ।

 

ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା । ପାର୍ଟିର ବରିଷ୍ଠ ନେତାମାନେ ମୋର କାର୍ଯ୍ୟକର୍ତ୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ । ଯାହାବି ହେଉ ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶର ଉପସଭାପତି ଦାୟିତ୍ୱ ଦେଲା ଏବଂ ବିଜେପୁର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିର୍ଦ୍ଦେଶ ଦେଲା । କିନ୍ତୁ ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ,ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି ।

ସୁବାସ ଚୈାହାନ, ବିଜେପି ନେତା

ଅର୍ଥାତ୍ ବରଗଡରୁ ଟିକେଟ କାଟି ବିଜେପୁରରୁ ସୁବାସ ଚୈାହାନଙ୍କୁ ଲଢାଇବାକୁ ଅଙ୍କ କଷିଥିଲା ବିଜେପି । ହେଲେ ଏଥିରେ ରାଜି ହେବା ଭଳି ଲାଗୁ ନାହାନ୍ତି ସୁବାସ । ସଫା ସଫା ଶୁଣାଇ ଦେଇଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢନ୍ତୁ । ଏହା ବିଜେପି ଭିତରେ ଜଳୁଥିବା ବିଦ୍ରୋହର ଗୋଟିଏ ଅଂଶ, ଯାହା ଧର୍ମେନ୍ଦ୍ରଙ୍କ କର୍ତ୍ତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଥିବାରୁ ତାଙ୍କ ବିରୁଦ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବିତ୍ତଶାଳୀ ଓ ଶକ୍ତିଶାଳୀ ଲୋକ ନିର୍ବାଚନ ଲଢିବାକୁ ସେ ପ୍ରସ୍ତାବ ଦେଇଥିବା ସୁବାସ ନିଜ ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଧର୍ମେନ୍ଦ୍ର ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବା ବେଳେ ୨୦୧୯ରେ ନିର୍ବାଚନ ଲଢିବେ ନାହିଁ ବୋଲି ଏକପ୍ରକାରର ସୂଚନା ମିଳିଛି । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ହୋଇଥିବା ତାଲିକାରେ ଧର୍ମେନ୍ଦ୍ରଙ୍କ ନାଁ ନାହିଁ ।

୨୦୧୯ରେ ଅନେକ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ଓଡିଶାରୁ କେନ୍ଦ୍ରମନ୍ତ୍ରୀ ଥିବା ଜୁଏଲ ଓରାମ ସୁନ୍ଦରଗଡରୁ ନିର୍ବାଚନ ଲଢିବେ । ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ କିନ୍ତୁ ଏଯାଏଁ ତାଲିକାରେ ସାମିଲ ହୋଇନାହିଁ । ୨୦୦୦ ରୁ ୨୦୦୯ ମଧ୍ୟରେ ବିଜେଡି-ବିଜେପି ମେଂଟ ବେଳେ ଥରେ ବିଧାୟକ ଓ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଧର୍ମେନ୍ଦ୍ର । ହେଲେ ୨୦୦୯ରେ ମେଂଟ ଭାଙ୍ଗିବା ପରେ ସେ ପାଲଲହଡାରୁ ଲଢିଥିବା ବେଳେ ବିଜେଡିର ରବି ପାଣିଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୧୪ରେ ଧର୍ମେନ୍ଦ୍ର ନିର୍ବାଚନ ଲଢିନଥିଲେ, ଏହି ସମୟ ବେଳକୁ ବିହାରରୁ ରାଜ୍ୟସଭା ସାଂସଦ ଥିଲେ ଧର୍ମେନ୍ଦ୍ର ।

ବଡ କଥା ହେଉଛି, ୨୦୧୯ ପାଇଁ ଦଳ ନିର୍ଦ୍ଦେଶ ଦେଲେ ସେ ଲଢିବାକୁ ପ୍ରସ୍ତୁତ ଥିବା ବାରମ୍ବାର ପୂର୍ବରୁ ଗଣମାଧ୍ୟମକୁ କହିଥିଲେ । କିନ୍ତୁ ଏଯାଏଁ ଧର୍ମେନ୍ଦ୍ର ନିଜ ପାଇଁ ଆସନଟିଏ ରଖିନାହାନ୍ତି । ଆଉ ଏହି ଦୁର୍ବଳତମ ଦିଗକୁ ଟାର୍ଗେଟ କରି ସୁବାସ ଚୈହ୍ୱାନ ନିଜ ମନରେ ଥିବା କ୍ରୋଧକୁ ପରିପ୍ରକାଶ କରିଥିବା ଅନୁମାନ କରାଯାଉଛି ।

ରାଜ୍ୟରେ ନିଜକୁ ବିକଳ୍ପ ଭାବେ ଉପସ୍ଥାପନ କରୁଥିବା ବିଜେପିର ଚେହେରା ସାଜିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବୋଧହୁଏ ଖାସ ସେଥିପାଇଁ, ନବୀନଙ୍କ ବିରୁଦ୍ଧରେ ଲଢିବାକୁ ସୁବାସ ଖୋଲାଖୋଲି ଭାବେ ଧର୍ମେନ୍ଦ୍ରଙ୍କୁ ଆହ୍ୱାନ ଦେଇଛନ୍ତି । ହୁଏତ ଏହାର ଆଧାରରେ କାହାର ଗ୍ରହଣୀୟତା ଅଛି ଆଉ କିଏ ବିକଳ୍ପ ସାଜିପାରିବ ତାହା ପ୍ରମାଣିତ ହୋଇପାରିବ ବୋଲି ପରୋକ୍ଷରେ ଇଙ୍ଗିତ କରିବାକୁ ପଛାଇନାହାନ୍ତି ସୁବାସ ।