ଫୁଲୁଛି ସୁବର୍ଣ୍ଣରେଖା : ରାଜଘାଟଠାରେ ବିପଦ ସଙ୍କେତ ଉପରେ ଜଳସ୍ତର

ତଳିଆ ଅଂଚଳର ଲୋକେ ଆତଙ୍କିତ; ସେପଟେ ଆଜି ସଂଧ୍ୟାରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ, କାଲିଠୁ ପ୍ରବଳ ବର୍ଷା ସମ୍ଭାବନା

119

କନକ ବ୍ୟୁରୋ : ଫୁଲୁଛି ସୁବର୍ଣ୍ଣରେଖା । ଝାଡଖଣ୍ଡର ଗାଲୁଡିହି ବ୍ୟାରେଜରୁ ଗତ ଦୁଇଦିନରେ ପର୍ଯ୍ୟାୟକ୍ରମେ ୧୧ ହଜାର ୩ ଶଙ କ୍ୟୁସେକ ପାଣି ନିଷ୍କାସନ କରାଯିବା ଫଳରେ ନଦୀର ଜଳସ୍ତର ବଢିବାରେ ଲାଗିଛି । ବାଲେଶ୍ୱର ବସ୍ତା ରାଜଘାଟ ନିକଟରେ ଜଳସ୍ତର ବିପଦସଙ୍କେତ ଉପରେ ଅଛି । ନଦୀର ଜଳସ୍ତର ବଢୁଥିବାରୁ ବାଲିଆପାଳ, ଭୋଗରାଇ, ଓ ଜଳେଶ୍ୱର ବ୍ଲକର ତଳିଆ ଅଂଚଳରେ ବନ୍ୟା ଆଶଙ୍କ ଦେଖାଦେଇଛି । ଲଗାଣ ବର୍ଷା ଯୋଗୁଁ ବସ୍ତାର ବିଭିନ୍ନ ସ୍ଥାନରେ ପାଣି ପଶିଯାଇଥିଲା । ପାଣି ଧୀରେ ଧୀରେ ଛାଡୁଥିଲେ ବି ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ଏବେ ସୁବର୍ଣ୍ଣରେଖାରେ ଜଳସ୍ତର ବଢିବା ଫଳରେ ତଳିଆ ଅଂଚର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ମିଆଁମାର ଉପକୂଳ ତତ୍ସଂଲଗ୍ନ ମାର୍ଟାବାନ ଉପକୂଳ ଅଂଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଜି ସଂଧ୍ୟା ବେଳକୁ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଆସନ୍ତାକାଲି ଅପରାହ୍ଣରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହୁପର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି ଆଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ତାରିଖ ଦିନ ପୁରୀ, ଗଂଜାମ, ଗଜପତି, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବର୍ଷା ହୋଇପାରେ । ଉପକୂଳ ଜିଲ୍ଲା ଗୁଡିକ ସମେତ ଉତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।