୩୦ ବର୍ଷ ହେଲା ଅଧାରେ ସୁବର୍ଣ୍ଣରେଖାର ବୃହତ ଜଳ ସେଚନ ପ୍ରକଳ୍ପ । କେନାଲ ହୋଇଛି ହେଲେ ପାଣି ନାହିଁ, ଆଶା ଆଶଙ୍କାରେ ଚାଷୀ ଓ ବିସ୍ଥାପିତ ।

182

କନକ ବ୍ୟୁରୋ : ୩୦ ବର୍ଷ ଧରି ଅଧୁରା ମୟୂରଭଂଜ ଜିଲ୍ଲାର ବୃହତ ଜଳସେଚନ ପ୍ରକଳ୍ପ । ପ୍ରକଳ୍ପ ନିର୍ମାଣ ପାଇଁ ବିଶ୍ୱବ୍ୟାଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ତତ୍ପରତା ପ୍ରକାଶ ପାଇଥିବା ବେଳେ ଶେଷ ହୋଇ ପାରୁନି ନିର୍ମାଣ କାର୍ଯ୍ୟ । ଫଳରେ ଚାଷ କାର୍ଯ୍ୟ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାର ଚାଷୀକୂଳ ।

ଆଶା ଆଶଙ୍କାରେ ସୁବର୍ଣ୍ଣରେଖାର ବୃହତ ଜଳ ସେଚନ ପ୍ରକଳ୍ପ । ୩୦ବର୍ଷ ଧରି ମୟୁରଭଂଜରେ ଚାଲିଥିବା ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପ ଏବେ ଦିଗହରା । ଜିଲ୍ଲାରେ ଅଧାରୁ ଅଧିକ ଲୋକ ଚାଷ ଉପରେ ନିର୍ଭରଶୀଳ । ଆଉ ସେହି ଚାଷୀଙ୍କୁ ଜଳସେଚନ ପ୍ରକଳ୍ପର ସୁନେଲି ସ୍ୱପ୍ନ ଦେଖାଇଥିଲେ ସରକାର । ସୁବର୍ଣ୍ଣରେଖା ନଦୀରୁ କେନାଲ ସହାୟତାରେ ପାଣିଆଣି ଜିଲ୍ଲାର ହଳଦୀଆ ଓ ଜମ୍ଭୀରା ବନ୍ଧରେ ଗଚ୍ଛିତ ରଖାଯିବ । ଏବଂ କେନାଲ ଯୋଗେ ଜମି ଜଳସେଚନ ହେବ ବୋଲି କହିଥିଲେ ସରକାର । ଆଉ ପ୍ରକଳ୍ପ ଦିନେ ବହୁମୁଖି ଚାଷରେ ସହାୟକ ହେବ ବୋଲି ଆଶା କରିଥିଲେ ଜିଲ୍ଲାବାସୀ । କିନ୍ତୁ ଏବେ ଏହି ଆଶା ମଉଳିବାକୁ ବସିଛି ।

ଆଉ ପ୍ରଶ୍ନ ଉଠୁଛି ଚାଷୀ ଓ ବିସ୍ଥାପିତଙ୍କ ଦୁଃଖ ବୁଝୁଛି କିଏ ? ନା ଆସୁଛି ପାଣି, ନା ହୋଇପାରୁଛି ଚାଷ । ଜମିକୁ ପାଣି ଯୋଗାଇବା ଉଦ୍ଦେଶ୍ୟରେ ରାଜା ରାଜୁଡା ଅମଳରୁ ନିର୍ମାଣ ହୋଇଥିବା ବନ୍ଧ ରକ୍ଷଣାବେକ୍ଷଣ ଅଭାବରୁ ଚାଷୀଙ୍କ କାମରେ ନଆସିବାରୁ ସୁବର୍ଣ୍ଣରେଖା ପକଳ୍ପର ପରିକଳ୍ପନା କରାଯାଇଛି । ବିଶ୍ୱବ୍ୟାଙ୍କ ସହଯୋଗରେ ସର୍ଭେ ଓ ପ୍ରାରମ୍ଭିକ କାମ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ବିଶ୍ୱବ୍ୟାଙ୍କ ସହଯୋଗ ନକରିବାରୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରକଳ୍ପ ଆଗେଇ ନେଇଥିଲେ ।

ହେଲେ ପ୍ରକଳ୍ପ କାର୍ଯ୍ୟ ଏବେ ବି ଅଧାରେ ପଡ଼ିଛି । ଫଳରେ କେନାଲରେ ନା ଆସୁଛି ପାଣି ନା ଜଳସେଚିତ ହୋଇପାରୁଛି ଚାଷ ଜମି । ଏହାରି ଭିତରେ ଭଲ ଚାଷ ଆଶାରେ ପ୍ରକଳ୍ପ ପାଇଁ ଭିଟାମାଟି ଦେଇଥିବା ଚାଷୀ ଆଖି ବୁଜିସାରିଛନ୍ତି । ଯାହା ପରିତାପର ବିଷୟ । ଆଉ ଏଠି ପ୍ରଶ୍ନ ଉଠୁଛି ଦୀର୍ଘ ବର୍ଷ ଧରି ଚାଲିଥିବା ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ କାହାପାଇଁ ? ଜଳସେଚନ ପ୍ରକଳ୍ପ ପାଇଁ ୩୬ଟି ମୌଜାର ୧୩୦୪ ପରିବାର ନିଜର ଭିଟାମାଟିକୁ ଶାଗ ମାଛ ଦରରେ ହସ୍ତାନ୍ତର କରିଥିଲେ କାହା ସ୍ୱାର୍ଥରେ ?