ଖାକିରେ ଲାଗିଲା କଳଙ୍କ । ହାୱାଲା ମାମଲାରେ ସଂପୃକ୍ତି ଅଭିଯୋଗରେ ସ୍ପେଶାଲ ସ୍କ୍ୱାର୍ଡର ସବ୍ଇନସ୍ପେକ୍ଟର ବିଜୟ କୁମାର ଦାଶଙ୍କୁ ଜେରା । ସ୍ପେଶାଲ ସ୍କ୍ୱାର୍ଡରୁ ହଟିଲେ ବିଜୟ ।

ଟଙ୍କା ଚୋରି ଏବଂ ବିଜୟଙ୍କ ସଂପୃକ୍ତି ନେଇ ତଦନ୍ତ କରିବେ ଅତିରିକ୍ତ ଡିସିପି

279

କନକ ବ୍ୟୁରୋ: ପୋଲିସ ସ୍କାନରରେ ପୋଲିସ ଏବଂ ସନ୍ଦେହ ଘେରରେ ସ୍ପେଶାଲ ସ୍ୱାର୍ଡ ଅଫିସର ସବଇନସ୍ପେକ୍ଟର ବିଜୟ କୁମାର ଦାସ । ଅପରାଧ ରୋକିବା ପାଇଁ ତିଆରି ହୋଇଛି ସ୍ପେଶାଲ ସ୍କ୍ୱାର୍ଡ ଆଉ ନିଯୁକ୍ତ ହୋଇଥାନ୍ତି ଏହିପରି ଅଫିସର । କିନ୍ତୁ ଏବେ ସେହି ଅଫିସରଙ୍କୁ ନେଇ ବଢୁଛି ସନ୍ଦେହ । ସବଇନସ୍ପେକ୍ଟର ତଦନ୍ତ ଘେରରୁ ଆସିବା ପରେ ସ୍ପେଶାଲ ସ୍ୱାର୍ଡର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜୟଙ୍କ ମାମଲା ତଦନ୍ତ କରିବା ପାଇଁ ଆଡିସନାଲ ଡିସିପିଙ୍କୁ ଦାୟିତ୍ୱ ଦେଇଛନ୍ତି ଡିସିପି । ଆଉ ଏହାରି ଭିତରେ ବିଜୟଙ୍କୁ ସ୍ପେଶାଲ ସ୍ୱାର୍ଡରୁ ହଟାଇ ଦିଆଯାଇଛି ।

ହାଓଲା ଗ୍ୟାଙ୍ଗରେ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗରେ କମିଶନରେଟ ପୋଲିସ ୩ କର୍ମଚାରୀଙ୍କୁ ଗିରଫ କରି ଜେଲ ପଠାଇଛି । ଆଉ ସେମାନଙ୍କୁ ସସପେଣ୍ଡ ମଧ୍ୟ କରାଯାଇଛି । ବଡ କଥା ହେଲା ରେଡକୁ ପରିଚାଳନା କରୁଥିବା ଅଫିସର ମଧ୍ୟ ସନ୍ଦେହ ଘେରକୁ ଆସିଛନ୍ତି କାରଣ ଟିମକୁ ଲିଡ କରୁଥିଲେ ଏସଆଇ ବିଜୟ କୁମାର ଦାସ । ଯଦି ବିଜୟ ଟିମ ଲିଡ କରୁଥିଲେ ତାହେଲେ ଟଙ୍କା ଚୋରି ହେଲା କେମିତି । ଗୋଟିଏ ପ୍ୟାକେଟରେ ଅଢେଇ ଲକ୍ଷ ଲେଖାଁଏ ଟଙ୍କା ଥିଲା । ଏହିଭଳି ୯ଟି ପ୍ୟାକେଟ ଚୋରି କରିଥିଲେ ଗିରଫ କର୍ମଚାରୀ । କିନ୍ତୁ ବିଜୟ ଜାଣିପାରିଲେ ନାହିଁ କେମିତି । ଗିରଫ କର୍ମଚାରୀଙ୍କ ସହ ବିଜୟଙ୍କର କଣ ସମ୍ପର୍କ ରହିଛି । ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ରାତାରାତି କୋଟିପତି ହେବାର ନିଶା ପୋଲିସ କର୍ମଚାରୀଙ୍କୁ ଅଭିଯୁକ୍ତ ବନାଇ ଦେଇଛି । ନୟାପଲ୍ଲୀରେ ଘର ପଜେସନ ଦେବା ଅଭିଯୋଗରେ ଜଣେ ପୋଲିସ ଅଧିକାରୀ ଗିରଫ ହୋଇଥିଲେ । ଗତକାଲି ମାମଲାରେ ୩ ପୋଲିସ କର୍ମଚାରୀ ଗିରଫ ହୋଇଛନ୍ତି । ଯାହାକି ଖାକିରେ କଳଙ୍କ ଲଗାଇଛି ।