ମହିଳା ସବ୍ ଇନ୍ସପେକ୍ଟରଙ୍କ ମହାନତା । ଅସହାୟ ବୃଦ୍ଧାଙ୍କ ପାଇଁ ପାଲଟିଲେ ସାହାରା

98

କନକ ବ୍ୟୁରୋ: ଆଜିକାଲି ସମାଜରେ ବୟସ୍କଙ୍କୁ ପରିବାର ଅଣଦେଖା କରୁଥିବାର ଅନେକ ଖବର ଶୁଣିବାକୁ ଦେଖିବାକୁ ମିଳୁଛି । ଫଳରେ ଶରୀରର ଅସହାୟତାକୁ ନେଇ କେଉଁଠି ରାସ୍ତା କଡରେ ତ କେଉଁଠି ପ୍ଲାଟଫର୍ମରେ ପଡିରହୁଛନ୍ତି ଏମାନେ । ହେଲେ ଏପରି କିଛି ହାତ ଗଣତି ଲୋକ ଅଛନ୍ତି ଯେଉଁମାନେ ଏପରି ଅସହାୟଙ୍କ ପାଇଁ ସାହା ହୋଇ ଛିଡା ହେଉଛନ୍ତିି । ଏପରି ମହାନତାର ପରିଚୟ ଦେଇଛନ୍ତି ଇନ୍ଦୋରର ଜଣେ ମହିଳା ସବ ଇନ୍ସପେକ୍ଟର ଅନିଲା ପରାଶର ।

ଜଣେ ବୃଦ୍ଧା, ଯେ କି ନିଜ ପରିବାର ଲୋକଙ୍କ ଦ୍ୱାରା ପରିତ୍ୟକ୍ତା, ଏକ ପ୍ଲାଟଫର୍ମରେ ଶୀତ ରାତିରେ ଥରୁଥିଲେ । ତାଙ୍କ ଉପରେ ପଡିଥିଲା ଅନିଲାଙ୍କ ନଜର । ତାଙ୍କୁ କମ୍ବଳରେ ଘୋଡାଇ ଦେବା ସହ ସକାଳ ପାହିଲେ ତାଙ୍କର ସବୁ ବ୍ୟବସ୍ଥା କରିଦେବେ ବୋଲି କହି ଆଶ୍ୱାସନା ଦେଇଥିଲେ । ତାଙ୍କ କଥା ଶୁଣି ବୁଢି ମାଉସୀ ଜଣକ କାନ୍ଦି ପକାଇବାରୁ ତାଙ୍କ ଆଖିରୁ ଲୁହ ପୋଛି ଦେଇଥିଲେ ଅନିଲା । ବୃଦ୍ଧାଙ୍କ ପରିବାର ଲୋକଙ୍କୁ ମଧ୍ୟ ଠକିଣା ଜବାବ ଦେବେ ବୋଲି କହିଥିଲେ ।

ଖାଲି ଏହି ବୃଦ୍ଧାଙ୍କୁ ନୁହଁନ୍ତି ପାଟ୍ରୋଲିଙ୍ଗ ସମୟରେ ପ୍ଳାଟଫର୍ମ ବା ଅନ୍ୟ ସ୍ଥାନରେ ଯେଉଁଠି ବି ଲୋକଙ୍କୁ ଶୀତ ରାତିରେ ଅସହାୟ ଅବସ୍ଥାରେ ଦେଖିଲେ ତାଙ୍କୁ କମ୍ବଳ ବିତରଣ କରିଥିଲେ ଅନିଲା ପରାଶର । ତାଙ୍କର ଏହି ବଦାନ୍ୟ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସାଧାରଣତଃ ପୋଲିସ ଲୋକଙ୍କୁ ଅଯଥା ଅତ୍ୟାଚାର କରୁଥିବା ଲୋକଙ୍କ ମଧ୍ୟରେ ଧାରଣା ଥିବାବେଳେ ଏହି ବିଭାଗରେ ଅନେକ ବାଦାନ୍ୟ ଅଧିକାରୀ ଥାଇ ଲୋକସେବା ପାଇଁ ନିଜକୁ ଉତ୍ସର୍ଗ କରୁଥିବାର ଉଦାହରଣ ସୃଷ୍ଟି କରିଛନ୍ତି ଅନିଲା ପରାଶର ।