କରୋନା ଛଡ଼ାଇ ନେଲା କାମ, ଚାଷ କରୁଛନ୍ତି ଷ୍ଟଂଟ ମ୍ୟାନ୍ । ଦିନ ମଜୁରିଆ ଭାବେ କାମ କରୁଛନ୍ତି ଓଡ଼ିଆ, ବଙ୍ଗାଳି ଏବଂ ଭୋଜପୁରୀ ଫିଲ୍ମରେ କାମ କରୁଥିବା ଷ୍ଟଂଟ୍ ମ୍ୟାନ୍ ।

244

କନକ ବ୍ୟୁରୋ : ଓଡ଼ିଆ ଫିଲ୍ମ ଓ ସିରିୟଲ ଗୁଡ଼ିକରେ ହେଉଥିବା ଆକ୍ସନ୍ ସିନ୍ ଆପଣଙ୍କୁ ବେଶ୍ ମନୋରଂଜନ ଯୋଗାଉଥିବ ନିଶ୍ଚୟ । ସତ ସତିକା ଫାଇଟିଂ ଭଳି ଲାଗୁଥିବା ଏଭଳି ଦୃଶ୍ୟରେ ଅଭିନୟ କରନ୍ତି ପେଶାଦାର ଷ୍ଟଂଟ୍ ମ୍ୟାନ୍ । ଫିଲ୍ମ ଚାଲିଥିଲା ଓ ସିରିୟଲ ସୁଟିଂ ହେଉଥିଲା, ଆଉ ସୁରୁଖୁରୁରେ ଚଳୁଥିଲା ଏହି ଷ୍ଟଂଟ୍ ମ୍ୟାନମାନଙ୍କ ପରିବାର । ହେଲେ କରୋନା ଯୋଗୁଁ ଏବେ ପ୍ରଭାବିତ ହୋଇଛି ଏମାନଙ୍କ ଜୀବନ ଜୀବିକା । ପୁରୀ ଜିଲ୍ଳା ରୁପୁଦେଇପୁର ଗାଁର ୭ଜଣ ଷ୍ଟଂଟ୍ ମ୍ୟାନଙ୍କୁ ଏବେ ଦିନ ମଜୁରିଆ ଭାବେ କାମ କରିବାକୁ ପଡୁଛି ।

ଓଡିଆ, ବଙ୍ଗାଳି, ଆସାମୀ ଏବଂ ଭୋଜପୁରୀ ଫିଲ୍ମରେ ଷ୍ଟଂଟ୍ ମ୍ୟାନ୍ ଭାବେ କାମ କରୁଥିବା ଏହି ଯୁବକମାନେ ଏବେ ପରିବାର ପ୍ରତିପୋଷଣ କରିବା ପାଇଁ, କିଏ ବିଲରେ କାମ କରୁଛି ତ ଆଉ କିଏ ମଜୁରି କାମ କରୁଛି । ହେଲେ ଆଗକୁ ସ୍ଥିତି ସୁଧୁରିଲେ କାମକୁ ଫେରିବା ଆଶାରେ ଭୋର୍ରୁ ଉଠି ନିଜ କଳାକୌଶଳର ଅଭ୍ୟାସ୍ ଜାରି ରଖିଛନ୍ତି । କଳାକାରମାନଙ୍କୁ ସରକାର ସହାୟତା ଦେବା ପାଇଁ ଆଗେଇ ଆସୁଥିବା ବେଳେ ଏହି ଷ୍ଟଂଟ୍ ମ୍ୟାନମାନେ ମଧ୍ୟ ସମାନ ଦାବି ରଖିଛନ୍ତି ।