ସୂର୍ଯ୍ୟ ଚତୁଃପାର୍ଶ୍ଵରେ ଇନ୍ଦ୍ରଧନୁ ବଳୟ…ଆଜି ଆକାଶରେ ଦେଖାଦେଲା ମେଘ ଓ ଆଲୋକ ଦ୍ବାରା ସଂଗଠିତ ଏକ ଅସାଧାରଣ ଦୃଶ୍ୟ

ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଲା ଇନ୍ଦ୍ରଧନୂର ରଙ୍ଗ ଥିବା ବଳୟ

2,961

କନକ ବ୍ୟୁରୋ: ସୂର୍ଯ୍ୟ ଚାରିପାଖରେ ବଳୟ । ଆଜି ଏହିପରି ଇନ୍ଦ୍ରଧନୁର ରଙ୍ଗ ଥିବା ଏକ ବଳୟ ଆମ ରାଜ୍ୟର ଅନେକ ସ୍ଥାନରେ ଆଜି ସକାଳେ ଦେଖିବାକୁ ମିଳିଛି । ଦିନ ପ୍ରାୟ ୧୦ଟା ସମୟରେ ଏଭଳି ବଳୟ ଦେଖିବାକୁ ମିଳିଥିଲା । ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକଙ୍କ କହିବା ଅନୁସାରେ, ପ୍ରକୃତରେ ଏହା ମେଘ ଓ ଆଲୋକ ଦ୍ୱାରା ସଙ୍ଗଠିତ ଏକ ଅସାଧାରଣ ଦୃଶ୍ୟ ।

ଯାହାକୁ ଆମ ଆଖିର ଏକ ଦୃଷ୍ଟି ଭ୍ରମରୁ ସୃଷ୍ଟି ହୁଏ ବୋଲି କୁହାଯାଇପାରେ । ଏପରି ବଳୟ ଗୋଟିଏ ବର୍ଷରେ ଶହେରୁ ଅଧିକ ଥର ଘଟିଥାଏ । ସମୟେ ସମେୟ ଚନ୍ଦ୍ରର ଚାରିପାଖରେ ଏଭଳି ବଳୟ ସୃଷ୍ଟି ହୋଇଥାଏ । ତେବେ ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ନାହିଁ । ସାଧାରଣତଃ ସୂର୍ଯ୍ୟ ବା ଚନ୍ଦ୍ର ଚାରିପାଖରେ ଏକ ବଳୟ ଦେଖାଗଲେ ପରବର୍ତୀ ସମୟରେ ବର୍ଷା ହେବାର ସମ୍ଭାବନା ଥାଏ ।

ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଆମ ବାୟୁମଣ୍ଡଳରେ ଥିବା ମେଘଗୁଡ଼ିକ ଛୋଟ ଛୋଟ ବରଫ ସ୍ଫଟିକରେ ତିଆରି। ବରଫ ସ୍ଫଟିକଗୁଡ଼ିକ ଖୁବ୍‌ ପତଳା ଓ ଷଡ଼ଭୁତ ଆକାରର। ଏହି ଷଡ଼ଭୁଜ ସ୍ଫଟିକଗୁଡ଼ିକ ଯୋଡ଼ି ହୋଇ ରହିଥିବା ଦୁଇଟି ପ୍ରିଜିମ୍‌ ଭଳି କାର୍ଯ୍ୟକରେ। ଫଳରେ ଏହି ବରଫ ସ୍ଫଟିକ ମାଧ୍ୟମରେ ସୂର୍ଯ୍ୟ ଆଲୋକରେ ପତଳା ମେଘ ରହେ। ତେବେ ଦିନରେ ସୂର୍ଯ୍ୟ ଚାରିପାଖରେ ଓ ରାତିରେ ଚନ୍ଦ୍ର ଚାରିପାଖରେ ଏହିପରି ଏକ ବଳୟ ଦେଖାଯାଇଥାଏ। ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ନାହିଁ। କିନ୍ତୁ ସାଧାରଣତଃ ବାୟୁମଣ୍ଡଳରେ ଝଡ଼ ପୂର୍ବରୁ ମେଘ ପତଳା ହୋଇ ଖୁବ୍‌ ଉପରକୁ ଉଠିଯାଏ ଓ ଗୋଟିଏ ଦିନ ପରେ ଏହା ତଳକୁ ଆସି ବହୁତ ବର୍ଷା କରିଥାଏ। ତେଣୁ ସାଧାରଣତଃ ସୂର୍ଯ୍ୟ ବା ଚନ୍ଦ୍ର ଚାରିାପଖରେ ଏକ ବଳୟ ଦେଖାଗଲେ ପରବର୍ତ୍ତୀ ସମୟରେ ବର୍ଷା ହେବାର ସମ୍ଭାବନା ଥାଏ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ କହିଛନ୍ତି।