ପ୍ରଣବ ମୁଖାର୍ଜୀଙ୍କୁ ନେଇ ଜାତୀୟ ରାଜନୀତିରେ କମ୍ପନ: କଂଗ୍ରେସ ସହ ସଂପୃକ୍ତ ଥିବା ମୁଖାର୍ଜୀଙ୍କ ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ଚର୍ଚ୍ଚା

66

କନକ ବ୍ୟୁରୋ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ନେଇ ଜାତୀୟ ରାଜନୀତିରେ ଏବେ କମ୍ପନ ସୃଷ୍ଟି ହୋଇଛି । ଜୁନ ୭ରେ ଆରଏସଏସର ଏକ କାର୍ଯ୍ୟକ୍ରମରେ ଯୋଗେଦେବେ ପ୍ରଣବ । ଦୀର୍ଘଦିନ ଧରି କଂଗ୍ରେସ ସହ ଜଡିତ ଥିବା ପ୍ରଣବ କାହିଁକି ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେହି ଏ ସମ୍ପର୍କରେ ଖୋଲାଖୋଲି କିଛି କହୁନାହାନ୍ତି । ପ୍ରଣବଙ୍କ ଅଫିସର ନିରବତା ବି ଘଟଣାକୁ ଅଧିକ ରହସ୍ୟମୟ କରିଛି । ରାଜନୈତିକ ମହଲରେ ଚର୍ଚା ହେଉଛି ଆରଏସଏସର ନାଗପୁର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଣବ ଜଣାଇଦେବାକୁ ଚାହୁଁଛନ୍ତି ଯେ, ରାଜନୀତିରେ ସେ ଅଲୋଡା ନୁହନ୍ତି ।

ଚର୍ଚ୍ଚା ହେଉଛି, ୨୦୧୯ରେ ବିଜେପି ଓ କଂଗ୍ରେସକୁ କ୍ଷମତାଠାରୁ ଦୂରେଇ ରଖିବାକୁ କିଛି ନେତା ଅଭିଯାନ ଆରମ୍ଭ କରିଛନ୍ତି । ଆଉ ଏହାର ପଛରେ ରହିଛନ୍ତି ପ୍ରଣବ ମୁଖାର୍ଜୀ । ବିଜେପିର କିଛି ଅସନ୍ତୁଷ୍ଟ ନେତା ଓ କଂଗ୍ରେସ ବିରୋଧୀ ଶକ୍ତିକୁ ନେଇ ଏକ ନୂଆ ମେଂଟ କରିପାରନ୍ତି ପ୍ରଣବ । ଆଉ ଏହି ମେଂଟ ୨୦୧୯ରେ କେନ୍ଦ୍ରରେ ସରକାର ଗଠନରେ ଏକ ନିର୍ଣ୍ଣାୟକ ଭୂମିକା ଗଠନ କରିପାରେ । ପ୍ରଣବ ମୁଖାର୍ଜୀ ଦିନେ କଂଗ୍ରେସର ବରିଷ୍ଠ ନେତା ଥିଲେ । ୨୦୦୪ ମସିହାରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିବା କଥା କୁହାଯାଉଛି । ଏପରିକି ସେ ତାଙ୍କର ମନର କଥା ନିଜ ପୁସ୍ତକ ଦି କୋଆଲିସନ ଇୟର୍ସରେ ପ୍ରକାଶ କରିସାରିଛନ୍ତି ।