ମୁକ୍ତ ପରିବେଶରେ ପାଠ ପଢିବେ ଛାତ୍ର: ଉଦଘାଟିତ ହେଲା ଓଡିଆ ଅସ୍ମିତାର ସୌଧ

81

କନକ ବ୍ୟୁରୋ: ଓଡିଆ ଅସ୍ମିତା ପାଇଁ ଲୋକାର୍ପିତ ହୋଇଛି ନୂତନ ସୌଧ । ଆଉ ଏହି ମୁହୁର୍ତର ମୁକସାଖୀ ହୋଇଛି ସତ୍ୟବାଦୀ । ପଂଚସଖା କ୍ରୀଡ଼ାଙ୍ଗନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଆ ଭାଷା ଓ ପାରମ୍ପରିକ ସାହିତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ୯ ଏକର ଜାଗାରେ ପ୍ରତିଷ୍ଠା ହୋଇଛି ଓଡିଆ ବିଶ୍ୱବିଦ୍ୟାଳୟ । ୪ ବର୍ଷରେ ନିର୍ମାଣ କାମ ସରିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶା ପାଇଁ ଏହା ଗୌରବ ବିଷୟ ।

ପୂରଣ ହୋଇଛି ରାଜ୍ୟବାସୀଙ୍କ ବହୁ ଦିନର ଦାବି । ଉଦଘାଟିତ ହୋଇଛି ଓଡିଆ ଅସ୍ମିତା ଓ ଶିକ୍ଷାର ସୌଧ ଓଡିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧ । ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି ପୁରୀର ସତ୍ୟବାଦୀରେ ଭର୍ଚୁଆଲ ମାଧ୍ୟମରେ ନୂଆ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ସମୟ ହେଉଛି ଓଡିଆ ଜାତି ପାଇଁ ଗୌରବମୟ ସମୟ । ଯୁବପୀଢଙ୍କ ମଧ୍ୟରେ ଓଡିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରାଯିବା ଜରୁରୀ । ସାମାଜିକ ଗଣମାଧ୍ୟମରେ ଓଡିଆ ଭାଷାର ବ୍ୟବହାର ବଢିବା ଦରକାର । ଓଡିଆ ଭାଷାରେ ଭଲ ସାହିତ୍ୟ ସୃଷ୍ଟି ପାଇଁ ଓଡିଆ ବିଶ୍ୱବିଦ୍ୟାଳୟ ଉଦ୍ୟମ କରୁ ।

ଓଡିଆ ଭାଷା ଓ ପାରମ୍ପରିକ ସାହିତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଓଡିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ହୋଇଛି । ଅତ୍ୟାଧୁନିକ ସ୍ଥାପତ୍ୟ ଶୈଳୀ ଓ ଟେକ୍ନୋଲଜିରେ ଏହା ନିର୍ମାଣ ହୋଇଛି ।
-ବିଶ୍ୱବିଦ୍ୟାଳୟରେ ୭୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି
-୯.୬୦ ଏକର ଜମିରେ ନିର୍ମିତ ହୋଇଛି ବିଶ୍ୱବିଦ୍ୟାଳୟ
-ବିଶ୍ୱବିଦ୍ୟାଳୟ ପାଇଁ ୭୫ କୋଟି ଖର୍ଚ୍ଚ ହୋଇଛି
-ପ୍ରଶାସନିକ ବିଲ୍ଡିଂରେ ଓଡିଆ ବର୍ଣ୍ଣମାଳା ବେଶ ସୁନ୍ଦର ହୋଇଛି
-ବିଶ୍ୱବିଦ୍ୟାଳୟରେ ରାଧାକୁଣ୍ଡ ପୁଷ୍କରିଣୀର ପୁନଃରୁଦ୍ଧାର କରାଯାଇଛି
-ଅନ୍ୟ ନିର୍ମାଣ ବେଶ ଚିତ୍ତାକର୍ଷକ ହୋଇଛି
-ବର୍ତମାନ ପାଇଁ ୩ଟି ବିଭାଗ ଖୋଲିଛି

ସେପଟେ ବିରୋଧୀ କହିଛନ୍ତି ନିର୍ବାଚନ ପାଇଁ ତରବରିଆ ଭାବେ ଓଡିଆ ବିଶ୍ୱବିଦ୍ୟାଳୟ ଉଦଘାଟିତ ହୋଇଛି । ଜବାବରେ ବିଜେଡି କହିଛି, ଦେଶରେ ମାତୃଭାଷାକୁ ନେଇ କେତୋଟି ବିଶ୍ୱବିଦ୍ୟାଳୟ ହୋଇଛି ବିରୋଧୀ କୂହନ୍ତୁ ।

୨୦୧୮ ମସିହା ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ । ଓଡିଆ ଭାଷା ସାହିତ୍ୟ, ଆଦିବାସୀ ପରମ୍ପରାର ଅଧିକ ପ୍ରଚାର ପ୍ରସାର ହେବ ବୋଲି ଆଶା କରାଯାଉଛି ।