ଚାଉଳ ପାଇଁ ଆଉ ଚାଲିବେନି ନଗଡ଼ା ପିଲା : ଯାଜପୁର ଉପଜିଲ୍ଲାପାଳ କହିଲେ, ବିଡିଓ ଓ ଯୋଗାଣ ବିଭାଗ ସହ ଆଲୋଚନା କରି ନିଆଯିବ ପଦକ୍ଷେପ

ଚାଉଳ ପାଇଁ ଛୋଟ ପିଲା ୨୦ କିଲୋମିଟର ଚାଲିବା ଖବର ପରେ ସମସ୍ୟା ସମାଧାନର ପ୍ରତିଶ୍ରୁତି

85

କନକ ବ୍ୟୁରୋ : ନଗଡ଼ାର ପିଲାଙ୍କ ପାଖରେ ପହଞ୍ଚିବ ମଧ୍ୟାହ୍ନ ଭୋଜନ ଚାଉଳ । ନଗଡ଼ାର ଛୋଟ ଛୋଟ ପିଲା ମଧ୍ୟାହ୍ନ ଭୋଜନ ଚାଉଳ ପାଇଁ ୨୦ କିଲୋମିଟର ବାଟ ଚାଲିବା ଖବର ପ୍ରସାରଣ ପରେ ଯାଜପୁର ଉପଜିଲ୍ଲାପାଳ କହିଛନ୍ତି ପିଲାଙ୍କୁ ଘରେ ମଧ୍ୟାହ୍ନ ଭୋଜନ ଚାଉଳ ପହଂଚା ଯିବ । ସ୍ଥାନୀୟ ବିଡିଓ ଓ ଯୋଗାଣ ବିଭାଗ ସହ ଆଲୋଚନା କରି ପଦକ୍ଷେପ ନିଆଯିବ । ପିଲାମାନେ ଏତ ଦୂର ଆସିବା ନିରାପଦ ନୁହେଁ, ତେଣୁ ଆଗାମୀ ଦିନରେ ଏହାର ସମାଧାନ କରାଯିବା ସହ ତଦନ୍ତ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ଯାଜପୁର ଉପଜିଲ୍ଲାପାଳ ।

ଚାଉଳ ପାଇଁ ୨୦ କିଲୋମିଟର ଚାଲିଥିଲେ ନଗଡ଼ା ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ପ୍ରତିବଦଳରେ ସ୍କୁଲରେ ମିଳୁଥିବା ଚାଉଳ ପାଇଁ ୨୦ କିଲୋମିଟର ଚାଲିବାକୁ ପଡ଼ିଥିଲା । ନଗଡ଼ାରୁ ୧୦ କିଲୋମିଟର ଦୂର ସାତକୁଲିଆ ପାହାଡ ତଳେ ଥିବା ଦେଓଗାଁ ପ୍ରାଥମିକ ସ୍କୁଲରୁ ପିଲାମାନେ ମୁଣ୍ଡରେ ଚାଉଳ ବୋହି ଗାଁକୁ ଫେରୁଥିବା ଦେଖିବାକୁ ମିଳିଥିଲା । ୧୦ କିଲୋମିଟର ଚାଲି ଚାଲି ଯାଇଥିଲେ, ପୁଣି ୧୦ କିଲୋମିଟର ଚାଲି ଚାଲି ଘରକୁ ଫେରିଥିଲେ । ନଗଡ଼ା ଓ ଗୁହିଆଶାଳ ସ୍କୁଲରେ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିବାକୁ ପିଲାମାନେ ଦେଓଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଆସିଥାନ୍ତି ।

ପ୍ରଥମ ପର୍ଯ୍ୟାୟରେ ନଗଡା ଓ ଗୁହିଆଶାଳ ମୌଜାର ୨୪ ଜଣ ଛାତ୍ରଛାତ୍ରୀ ଏବଂ ପରବର୍ତୀ ସମୟରେ ତୁମୁଣିର ଛାତ୍ରଛାତ୍ରୀମାନେ ଚାଉଳ ଆଣିବାକୁ ଦେଓଗାଁ ଯାଇଥିଲେ । କିଛି ପିଲାଙ୍କ ପାଦରେ ଜୋତା ନଥିବାରୁ ରାସ୍ତାରେ ଚାଲିବାରେ କଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଚାଉଳ ଆଣିବା ପାଇଁ ଛାତ୍ରଛାତ୍ରୀମାନେ ସକାଳ ୭ଟାରୁ ଯାଇ ଦିନ ୪ଟାରେ ଭୋକ ଉପାସରେ ଫେରିଥିଲେ । ଚଳିତ ବର୍ଷ ଦେଓଗାଁ ସ୍କୁଲରେ ନଗଡାରୁ ୧୬, ତୁମୁଣିରୁ ୨୮ ଓ ଗୁହିଆଶାରୁ ୯ ଜଣ ଛାତ୍ରଛାତ୍ରୀ ପଢୁଥିବା ଜଣାପଡ଼ିଛି ।