ଶିକ୍ଷା ଅବ୍ୟବସ୍ଥାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ। ଭୁବନେଶ୍ୱର ବମିଖାଲ ବିଦ୍ୟାଳୟରେ ଶିକ୍ଷକ ଅଭାବ, ମୟୂରଭଞ୍ଜ ଓ ଗୋପରେ ବି ସମାନ ଚିତ୍ର ।

111

କନକ ବ୍ୟୁରୋ: ଶିକ୍ଷା, ସମାଜ ଗଠନର ମୂଳପିଣ୍ଡ । ହେଲେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳଚିତ୍ର ପ୍ରତ୍ୟେକ ଦିନ ଗଣମାଧ୍ୟମ ସାମ୍ନାକୁ ଆସୁଛି । କେଉଁଠି ଫାଇଭ-ଟି ସ୍କୁଲର ଦୁର୍ବଳ ବ୍ୟବସ୍ଥା ସରକାରୀ ଯୋଜନାକୁ ଉପହାସ କରୁଛି ତ ଆଉ କେଉଁଠି ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇବା ଦୃଶ୍ୟ ଶିକ୍ଷା ବିଭାଗକୁ କାଠଗଡାରେ ଠିଆ କରିଛି । ଖୋଦ୍ ରାଜଧାନୀର ଶିକ୍ଷକ ଅଭାବକୁ ନେଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଭୁବନେଶ୍ୱର ବମିଖାଲ ଦେବରାଜ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି । ସ୍କୁଲରେ ୫ଶହରୁ ୬ ଶହ ପିଲା ପାଠ ପଢ଼ୁଥିବା ବେଳେ ମାତ୍ର ୪ ଜଣ ଶିକ୍ଷୟିତ୍ରୀ ଅଛନ୍ତି । ଫଳରେ ପାଠପଢ଼ାରେ ଅବହେଳା ହେଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ଶିକ୍ଷକ ଅଭାବ ସଂପର୍କରେ ବାରମ୍ବାର ଶିକ୍ଷା ବିଭାଗ ଅଧିକାରୀଙ୍କୁ ଜଣାଇବା ପରେ ବି କେହି କିଛି ବି ପଦକ୍ଷେପ ନେଲେ ନାହିଁ, ତେଣୁ ଆଜି ସ୍କୁଲରେ ତାଲା ପକାଇ ରାସ୍ତାକୁ ଓହ୍ଲାଇଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ ।

ସେପଟେ ଫାଇଭ-ଟି ସ୍କୁଲରେ ବିଭିନ୍ନ ସମସ୍ୟାକୁ ନେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଧାରଣା ସମୟରେ ୩ ଜଣ ଛାତ୍ରୀ ଚେତାଶୂନ୍ୟ ହୋଇପଡ଼ିଛନ୍ତି । ଏପରି ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଖୁଣ୍ଟାପୁର ସ୍ଥିତ ସତ୍ୟସାଇ ସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଧାରଣାସ୍ଥଳରେ ବେହୋସ ଛାତ୍ରୀଙ୍କୁ ନେବା ପାଇଁ ଏକ ଆମ୍ବୁଲାନ୍ସ ଆସିଥିଲା । ସେହି ଆମ୍ବୁଲାନ୍ସର ବ୍ରେକଡାଉନ ହୋଇଯିବରୁ ପିଲାମାନେ ଆମ୍ବୁଲାନ୍ସକୁ ଠେଲି ଠେଲି ନୟାନ୍ତ ହୋଇଛନ୍ତି । ଏହି ସତ୍ୟସାଇ ସରକାରୀ ବିଦ୍ୟାଳୟରେ ଅନେକ ସମସ୍ୟା ରହିଛି, ଯାହାକୁ ନେଇ ଛାତ୍ୟଛାତ୍ରୀ ଧାରଣାରେ ବସିଥିବା ବେଳେ ଆଜି ଏପରି କିଛି ଘଟିଛି । ଅନ୍ୟପଟେ ପୁରୀ ଜିଲ୍ଲା ଗୋପ ବ୍ଲକ ସାରସ୍ୱତୀ ବିଦ୍ୟାପୀଠ ବିରତୁଙ୍ଗରେ ଶିକ୍ଷକ ଅଭାବକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ନିକଟରେ ନିର୍ମାଣ ହୋଇଥିବା ସ୍ମାର୍ଟ ସ୍କୁଲରେ ତାଲା ପକାଇବା ସହ ବେଗୁନିଆ-ନୟାହାଟ ରାସ୍ତାରେ ବସି ରହିଥିଲେ ଛାତ୍ରଛାତ୍ରୀ । ତେବେ ରାଜ୍ୟର ଅନେକ ସ୍କୁଲରେ ଶିକ୍ଷକ ଅଭାବ ଦେଖାଦେଇଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି ।