ସରକାରଙ୍କ ନଜର ପଡିବ କେବେ? କେତେଦିନ ଗଛ ତଳେ ଗଢା ହେବ କୁନି କୁନି ପିଲାଙ୍କ ଭବିଷ୍ୟତ ।

332

କନକ ବ୍ୟୁରୋ : ପ୍ରାଥମିକ ଶିକ୍ଷାର ବିକାଶ ସରକାରଙ୍କ ପ୍ରମୁଖ ଉଦେଶ୍ୟ । ଆଉ ଏଥିପାଇଁ ସ୍କୁଲ ଓ କଲେଜରେ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର ଜାଣିବା ପାଇଁ ମନ୍ତ୍ରୀ ସରପ୍ରାଇଜ ଭିଜିଟ୍ ମଧ୍ୟ କରୁଛନ୍ତି । ଶିକ୍ଷାର ମାନ ବୃଦ୍ଧି ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ ହେଉଛି । ହେଲେ ସତରେ କଣ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିଛି । ରାଜ୍ୟର ସବୁ ସ୍କୁଲରେ ସଠିକ୍ ଶିକ୍ଷାଦାନ କରାଯାଉଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍କୁଲର କଥା କହିବୁ, ଯାହା ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି ।

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଗଛମୂଳେ ଚାଲିଛି ପାଠପଢା ।ବିଦ୍ୟାଳୟର ନିଜସ୍ୱ ଗୃହ ନଥିବାରୁ ଗଛମୁଳେ ବସି ପାଠ ପଢୁଛନ୍ତି କୁନିକୁନି ପିଲା । ଅତି ଦୟନୀୟ ଅବସ୍ଥାରେ ଚାଲିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ପ୍ରଧାନ ସାହି ପ୍ରକଳ୍ପ ବିଦ୍ୟାଳୟ । ସ୍କୁଲର ନିଜସ୍ୱ ଘର ନଥିବାରୁ ଏମିତି ଚାଲିଛି କୁନିକୁନି ପିଲାଙ୍କ ଭବିଷ୍ୟତ ଗଢା । ଆଉ ସରକାରୀ ଜାଗାରେ ସ୍କୁଲର ନିଜସ୍ୱ ଶ୍ରେଣୀଗୃହ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ଦୁଆରକୁ ଦୌଡି ଦୌଡି ନୟାନ୍ତ ହେବା ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । କେତେଦିନ ଏମିତି ଛାତ୍ରଛାତ୍ରୀଙ୍କୁ ଏଠି ସେଠି ବସାଇ ପାଠ ପଢାଇବେ ବୋଲି କୋହଭରା କଂଣ୍ଠ ଓ ଲୁହଭିଜା ଆଖିରେ ପ୍ରଶ୍ନ କରିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ।

ଏହି ସ୍କୁଲରେ ୫ଟି ଶ୍ରେଣୀରେ ୬୦ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ୨୦୦୮ ମସିହାରେ ବିଦ୍ୟାଳୟଟି ପ୍ରତିଷ୍ଠା ହେବା ପରେ କିଛି ବର୍ଷ ନାଶିକେଶ୍ୱର ଭାଗବତ ଟୁଙ୍ଗିରେ ଚାଲିଥିଲା । ପରେ ପଞ୍ଚୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ପାଠପଢା ହେଉଥିଲା । ହେଲେ ସେଠାରେ ପଞ୍ଚାୟତ କାମ କରାଯାଉଥିବାରୁ ପାଠପଢାରେ ବାଧା ସୃଷ୍ଟି ହେଲା । ତେଣୁ ଛାତ୍ରଛାତ୍ରୀଙ୍କୁ କେତେବେଳେ ଗଛ ଛାଇ ତଳେ ତ ଆଉ କେତେବେଳେ ଅଙ୍ଗନୱାଡି କେନ୍ଦ୍ରରେ ପାଠ ପଢାଉଛନ୍ତି ଶିକ୍ଷୟିତ୍ରୀ । ସେପଟେ ସ୍କୁଲର ସମସ୍ୟାକୁ ସ୍ୱୀକାର କରିବା ସହ ଖୁବଶୀଘ୍ର ସ୍ଥାୟୀ ଘର ନିର୍ମାଣ ପାଇଁ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କାକଟପୁର ବ୍ଲକ ଶିକ୍ଷାଧିକାରୀ ।