ଶିକ୍ଷକଙ୍କ ଅବସର ବେଳେ ଭୋ ଭୋ ହୋଇ କାନ୍ଦିଲେ ଛାତ୍ରଛାତ୍ରୀ । ଭାବବିହ୍ୱଳ ହେଲା ପୂରା ପରିବେଶ ।

365

କନକ ବ୍ୟୁରୋ : ଅମାଅନ୍ଧକାରରୁ ଯିଏ ଆତ୍ମଦର୍ଶନର କିରଣ ଦେଖାନ୍ତି, ସିଏ ହେଉଛନ୍ତି ଗୁରୁ । ବିପଥଗାମୀଙ୍କ ପାଇଁ ଯିଏ ପଥପ୍ରଦର୍ଶକ ସାଜନ୍ତି, ସିଏ ହେଉଛନ୍ତି ଗୁରୁ । ଗୁରୁ ସମସ୍ତଙ୍କୁ ଭଲ ମଣିଷ ଭାବେ ଗଢିତୋଳିବାକୁ ପ୍ରୟାସ କରନ୍ତି, ପଡିଗଲେ ଉଠିବାର ସାହାସ ଦିଅନ୍ତି । ଗୁରୁ-ଶିଷ୍ୟ ସମ୍ପର୍କ ସର୍ବଦା ଅତୁଟ । କିନ୍ତୁ ସମୟ ବଦଳିବା ସହ ଗୁରୁ-ଶିଷ୍ୟ ସମ୍ପର୍କ ଫିକା ପଡୁଥିବା ବେଳେ ସୋସିଆଲ ମିଡିଆରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଭାବୁକ କରିଦେବ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଶିକ୍ଷକଙ୍କ ବିଦାୟୀକାଳୀନ ସମ୍ବର୍ଦ୍ଧନା ବେଳେ ଭୋ ଭୋ ହୋଇ କାନ୍ଦୁଛନ୍ତି ଛାତ୍ରଛାତ୍ରୀ । ନିଜ ପ୍ରିୟର ଶିକ୍ଷକ ସ୍କୁଲ ଛାଡି ଯାଉଥିବାରୁ ଭାବୁକ ହୋଇପଡିଛନ୍ତି ସବୁ ପିଲା ଏବଂ ସ୍କୁଲର ସମସ୍ତ କର୍ମଚାରୀ । ଶିକ୍ଷକଙ୍କ ପାଦ ଛୁଇଁ ଆଗାମୀ ଭବିଷ୍ୟତ ପାଇଁ ଆଶୀର୍ବାଦ ନେବା ସହ ଶିକ୍ଷକଙ୍କୁ ଆଲିଙ୍ଗନ କରି କାନ୍ଦିଛନ୍ତି ଛାତ୍ରଛାତ୍ରୀ ।

ତେବେ ଭାଇରାଲ ହେଉଥିବା ଏହି ଭିଡିଓକୁ ଅନେକ ଆଇଏଏସ ଏବଂ ଆଇପିଏସ ଅଧିକାରୀମାନେ ମଧ୍ୟ ନିଜ ସୋସିଆଲ୍ ମିଡିଆ ପେଜରେ ସେୟାର କରିଛନ୍ତି । ଜଣେ ଆଇପିଏସ ଅଫିସର ଏହି ଭିଡିଓକୁ ସେୟାର କରିବା ସହ ଲେଖିଛନ୍ତି, ଜଣେ ଛାତ୍ରଙ୍କ ଭବିଷ୍ୟତ ଗଢିବାରେ ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ତେବେ ଏହି ଭିଡିଓକୁ ଅନେକ ଲୋକ ସେୟାର କରିଛନ୍ତି ।