ପାଠପଢ଼ା ପାଇଁ ବାଜିରେ ଲାଗିଛି ଜୀବନ । ୧୦ ରେଳଧାରଣା ଡେଇଁ ପଢିବାକୁ ଆସୁଛନ୍ତି ଛାତ୍ରଛାତ୍ରୀ । ପାଚେରି ନାହିଁ, ବେଧଡ଼କ ଯା’ଆସ କରୁଛି ଯାନ
କନକ ବ୍ୟୁରୋ: କୌଣସି ଦୃଷ୍ଟି ନାହିଁ! କାହାରି ବି କଟକଣା ନାହିଁ! ପାଠପଢ଼ା ପାଇଁ ଜୀବନକୁ ବାଜି ଲଗାଇ ଦେଉଛନ୍ତି କୁନିକୁନି ପିଲାମାନେ। ସ୍କୁଲରେ ପହଞ୍ଚିବା ପାଇଁ ସେମାନେ ଏମିତି କଷ୍ଟସାଧ୍ୟ ଯାତ୍ରା କରୁଛନ୍ତି, ଆଖିରେ ନଦେଖିଲେ ବିଶ୍ବାସ କରିହେବନାହିଁ। ଏହି କୁନିକୁନି ୧୦ଟି ରେଳଧାରଣା ଡେଉଁଛନ୍ତି। ଏପରିକି, ଅଟକିଥିବା ଟ୍ରେନ୍ ତଳେ ଗଳି ସେପାଖରେ ପହଞ୍ଚୁଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଖୋଦ୍ ରାଜଧାନୀରେ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଦିନ ଏହିଭଳି ଅବସ୍ଥା ମଧ୍ୟଦେଇ ଗତି କରିବାକୁ ପଡ଼ୁଛି। ପଞ୍ଜାବର ମର୍ମନ୍ତୁଦ ଦୁର୍ଘଟଣା ସତ୍ତ୍ବେ ଏ ନେଇ କାହାରି ଚେତା ପଶୁନି।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜଧାନୀ ଉପକଣ୍ଠରେ ରହିଛି ରଙ୍ଗମାଟିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ମଞ୍ଚେଶ୍ବର ରେଳ ଷ୍ଟେସନ୍ ପୂର୍ବପାଖରେ ଥିବା ଭୋଟପଡ଼ା ଗ୍ରାମର ପିଲାମାନେ ଏହି ବିଦ୍ୟାଳୟକୁ ଆସିବାପାଇଁ ଦୈନିକ ୧୦ଟି ରେଳ ଧାରଣା ଡେଇଁଥାନ୍ତି। ଆଉ ଧାରଣାରେ ଟ୍ରେନ୍ ଠିଆ ହୋଇଥିଲେ, କୁନି କୁନି ପିଲାମାନେ ଟ୍ରେନ୍ ତଳେ ଗଳି ରେଳ ଧାରଣା ପାର ହୋଇଥାନ୍ତି।କେବଳ ସେତିକି ନୁହେଁ, ବିଦ୍ୟାଳୟ ପାଚେରି ନଥିବାରୁ ଟ୍ରକ୍, କାର୍ ଓ ବାଇକ୍ ଆରୋହୀ ହତା ଭିତରେ ଦେଇ ଦୃତଗତିରେ ଯିବାଆସିବା କରୁଛନ୍ତି।
ପ୍ରଶାସନ ପାଖରେ ଏସବୁ ନେଇ ଖବର ଅଛି। ମାତ୍ର କୁନି କୁନି ଛାତ୍ରଛାତ୍ରଙ୍କ ଭାଗ୍ୟକୁ ବିପଦ ଭିତରକୁ ଠେଲି ଦେଇ ବେଫିକର ଭାବେ ସମସ୍ତେ ହାତ ବାନ୍ଧି ବସିଯାଇଛନ୍ତି। ବିଦ୍ୟାଳୟ କର୍ତୃପକ୍ଷଙ୍କ ମତ ବି ଆହୁରି ସାଂଘାତିକ। ଏହାର ନିରାକରଣ ନେଇ ପଦକ୍ଷେପ ନେବା ବଦଳରେ ସେମାନେ କହିଛନ୍ତି, ସ୍କୁଲ କ୍ୟାମ୍ପସ୍ରେ ଯାନବାହାନ ପ୍ରବେଶ ଓ ରେଳ ଧାରଣା ଡ଼େଇଁ ଛାତ୍ରଛାତ୍ରୀ ପଢ଼ିବାପାଇଁ ଆସୁଥିବା ବେଳେ କୌଣସି ଅଘଟଣ ଘଟିନାହିଁ। କିନ୍ତୁ ଅଭିଭାବକ ଓ ଗ୍ରାମବାସୀଙ୍କ ଚିନ୍ତା ଏହାକୁ ନେଇ ବଢିବାରେ ଲାଗିଲାଣି।
ଉଲ୍ଲେଖଯୋଗ୍ୟ, ସ୍ବାଧୀନତା ପରେ ପରେ ପ୍ରତିଷ୍ଠା ହୋଇଛି ରଙ୍ଗମାଟିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଉକ୍ତ ଅଞ୍ଚଳର ଏକ ମାତ୍ର ସରକାରୀ ବଡ଼ ବିଦ୍ୟାଳୟ ହୋଇଥିବା କାରଣରୁ ଆଖପାଖ ଗ୍ରାମ ଓ ବସ୍ତିର ପିଲାମାନେ ଏଠାକୁ ପଢ଼ିବା ପାଇଁ ଆସିଥାନ୍ତି। ବିଦ୍ୟାଳୟରେ ପ୍ରାୟ ୩ ଶହ ଶିକ୍ଷାର୍ଥୀ ପଢୁଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢା ଏବେ ବିପଜ୍ଜନକ ପାଲଟିଛି। ପ୍ରାୟ ୨ କିଲୋମିଟର୍ ଦୂର ବୁଲି ଲେବୁଲ୍ କ୍ରସିଂ ବାଟ ଦେଇ କିଛି ଛାତ୍ରଛାତ୍ରୀ ସ୍କୁଲ ଆସୁଛନ୍ତି। ଆଉ କିଛି ଛାତ୍ରଛାତ୍ରୀ ରେଳବାଇ ସୁରକ୍ଷା ପୁଲିସ୍ ନାଲି ଆଖିକୁ ଖାତିରି ନକରି ପ୍ଲାଟଫର୍ମ ଫୁଟ୍ ଓଭର ବ୍ରିଜ୍ ବାଟଦେଇ ଯାତାୟତ କରୁଛନ୍ତି। ରେଳଧାରଣା ତଳେ ଭୂତଳ ରାସ୍ତା କିମ୍ବା ପ୍ଲାଟଫର୍ମ ଫୁଟ୍ ବ୍ରିଜ୍ ରେ ସାଧାରଣ ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ପ୍ରବେଶକୁ ରେଳବାଇ ପକ୍ଷରୁ ମୁକ୍ତ କରାଗଲେ ସ୍ଥାନୀୟ ଲୋକ ଉପକୃତ ହୋଇ ପାରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।