ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା: ଦୀର୍ଘମାସ ହେଲା ସ୍କୁଲରେ ନାହାନ୍ତି ଶିକ୍ଷକ

100

କନକ ବ୍ୟୁରୋ: ସ୍କୁଲରେ ତାଲା ପକାଇ ରାଜରାସ୍ତାରେ ପିଲା । ପ୍ରତ୍ୟେକ ଦିନ ବିଭିନ୍ନ ଅଂଚଳରୁ ଶିକ୍ଷା ଅବ୍ୟବସ୍ଥାର ଚିତ୍ର ଆସୁଛି । ଶିକ୍ଷକ ଅଭାବରେ ଯୋଗୁଁ ପାଠପଢା ବ୍ୟାହତ ହେଉଛି । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଅନେକ ସମୟରେ ରାଜରାସ୍ତାକୁ ଓହ୍ଲାଉଛନ୍ତି । ଆଜି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକର ପାଢେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲ ଗେଟରେ ତାଲା ପକାଇ ଦେଇଛନ୍ତି । ଶିକ୍ଷକ ଅଭାବରୁ ଠିକ୍ ଭାବରେ ପାଠପଢା ହେଉନାହିଁ । ଏହି ସ୍କୁଲରେ ୨୭୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଆଗରୁ ଏଠାରେ ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ । କିନ୍ତୁ କିଛି ମାସ ହେବ ୩ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କାରାଯାଇଛି । ହେଲେ ତାଙ୍କ ସ୍ଥାନରେ ଆଉ ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି । ତେଣୁ ପିଲାଙ୍କ ପାଠପଢାରେ ସମସ୍ୟା ହେଉଛି । ସବୁ ବିଷୟରେ ପାଠ ପଢା ହୋଇପାରୁନାହିଁ । ତେଣୁ ପିଲାମାନେ ସ୍କୁଲରେ ତାଲା ପକାଇ ସ୍କୁଲ ଆଗରେ ଧାରଣା ଦେଇଛନ୍ତି । ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣା ଦେଇଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ । ଏବଂ ଆଗାମୀ ୪ ଦିନ ଭିତରେ ଶିକ୍ଷକ ନିଯୁକ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।