କନକ ବ୍ୟୁରୋ : ୟୁନିଟ୍‌-୯ ବାଳିକା ହାଇସ୍କୁଲ ମିଶ୍ରଣ ପ୍ରତିବାଦରେ ଧାରଣା । ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରୀ ଓ ଅଭିଭାବକ । ୟୁନିଟ୍ – ୯ ବାଳିକା ହାଇସ୍କୁଲକୁ ସବୁ ଦିନ ଲାଗି ତାଲା ପକାଇବାକୁ ସରକାରଙ୍କ ନିଷ୍ପତ୍ତି ପରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ୫୭ ବର୍ଷ ଧରି ନାରୀଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଥିବା ଏହି ହାଇସ୍କୁଲ ୟୁନିଟ୍ -୯ ହାଇସ୍କୁଲ ସହ ମିଶ୍ରଣ ହେବା ଦ୍ୱାରା ଛାତ୍ରୀମାନଙ୍କ ପାଠପଢ଼ା ପ୍ରଭାବିତ ହେବ ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି ।

Advertisment

କିଛି ବର୍ଷ ହେଲା ଦଶମ ବୋର୍ଡ ପରୀକ୍ଷାରେ ଏଠାକାର ଛାତ୍ରୀମାନେ ୟୁନିଟ୍ -୯ ହାଇସ୍କୁଲ ତୁଳନାରେ ଭଲ ନମ୍ବର ରଖୁଛନ୍ତି । ଏକାଧିକ ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖୁଛନ୍ତି । ବାଳିକା ହାଇସ୍କୁଲ ୟୁନିଟ୍ -୯ ହାଇସ୍କୁଲରେ ମିଶ୍ରଣ ହେଲେ ଛାତ୍ରୀମାନଙ୍କ ପାଠପଢ଼ା ପ୍ରଭାବିତ ହେବ ବୋଲି କହିଛନ୍ତି ଅଭିଭାବକ । ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଜମି ଦେବାକୁ ଯାଇ ରାଜ୍ୟ ସରକାର ଏଭଳି ଏକ ପୁରାତନ ଶିକ୍ଷାନୁଷ୍ଠାନର ସତା ହଜାଇଦେବା ନିଷ୍ପତ୍ତିକୁ ଅଭିଭାବକ ଓ ଛାତ୍ରୀ ବିରୋଧ କରିଛନ୍ତି ।

ଏସ୍‌ଏମ୍‌ସିର ଜଣେ ସଦସ୍ୟ କହିଛନ୍ତି ଯେ କିଛି ବର୍ଷ ହେଲା ଦଶମ ବୋର୍ଡ ପରୀକ୍ଷାରେ ଏଠାକାର ଛାତ୍ରୀମାନେ ୟୁନିଟ୍‌-୯ ହାଇସ୍କୁଲ ତୁଳନାରେ ଭଲ ଫଳ କରୁଛନ୍ତି । ଏକାଧିକ ଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିବାରେ ସକ୍ଷମ ହେଉଛନ୍ତି । ମେଧାବୀ ସୃଷ୍ଟି କରୁଥିବା ଏହି ବିଦ୍ୟାଳୟକୁ ୟୁନିଟ୍‌-୯ ହାଇସ୍କୁଲରେ ମିଶ୍ରଣ ଦ୍ବାରା ଛାତ୍ରୀମାନଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହେବେ । କାରଣ ଇତିମଧ୍ୟରେ ୟୁନିଟ୍‌-୯ ହାଇସ୍କୁଲ ସହ ଦୁଇଟି ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣ କରାଯାଇ ସାରିଛି । ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଏବେ ୭୫୨ ଛାତ୍ରଛାତ୍ରୀ ପଢ଼ୁଛନ୍ତି ।

ଯେଉଁଥିରେ ୪୪୦ ଛାତ୍ର ଓ ୩୧୨ ଛାତ୍ରୀ ରହିଛନ୍ତି । ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠରୁ ୧୦ମ ଶ୍ରେଣୀର ୩୮୧ ଜଣ ଛାତ୍ରୀଙ୍କୁ ସ୍ଥାନାନ୍ତର ଦ୍ବାରା କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୧୩୩ରେ ପହଞ୍ଚିବ । ଗୋଟିଏ କ୍ୟାମ୍ପସରେ ଏତେସଂଖ୍ୟକ ଛାତ୍ରଛାତ୍ରୀଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ମିଳିବ, ତାହା ସ୍ପଷ୍ଟ ଅନୁମେୟ । ଉଭୟ ସ୍କୁଲର ମିଶ୍ରଣ ଦ୍ବାରା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୩୭ରେ ପହଞ୍ଚିବ ବୋଲି କୁହାଯାଉଛି । ଏହାଦ୍ବାରା ଶିକ୍ଷକ-ଛାତ୍ରଛାତ୍ରୀ ଅନୁପାତରେ ସୁଧାର ଆସିବ ସତ, ମାତ୍ର ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବ ନାହିଁ। ବାଧ୍ୟ ହୋଇ ଛାତ୍ରୀମାନେ ଅଧାରୁ ପାଠ ଛାଡ଼ିବେ ।