କନକ ବ୍ୟୁରୋ : ୟୁନିଟ୍ – ୯ ବାଳିକା ହାଇସ୍କୁଲ ଆଗରେ ଚାଲିଥିବା ଧାରଣା ସମୟରେ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଲେ। ଜଣଙ୍କ ପରେ ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଘଟଣା ସ୍ଥଳରୁ ଆମ୍ବୁଲାନ୍ସରେ ମେଡ଼ିକାଲ ନିଆଯାଇଛି । ୫ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଛାତ୍ରଛାତ୍ରୀମାନେ ବେହୋସ ହୋଇପଡ଼ୁଥିବା କୁହାଯାଉଛି ।

Advertisment

ୟୁନିଟ୍ – ୯ ବାଳିକା ହାଇସ୍କୁଲକୁ ସବୁ ଦିନ ଲାଗି ତାଲା ପକାଇବାକୁ ସରକାରଙ୍କ ନିଷ୍ପତ୍ତି ପରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ୫୭ ବର୍ଷ ଧରି ନାରୀଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଥିବା ଏହି ହାଇସ୍କୁଲ ୟୁନିଟ୍ -୯ ହାଇସ୍କୁଲ ସହ ମିଶ୍ରଣ ହେବା ଦ୍ୱାରା ଛାତ୍ରୀମାନଙ୍କ ପାଠପଢ଼ା ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । କିଛି ବର୍ଷ ହେଲା ଦଶମ ବୋର୍ଡ ପରୀକ୍ଷାରେ ଏଠାକାର ଛାତ୍ରୀମାନେ ୟୁନିଟ୍ -୯ ହାଇସ୍କୁଲ ତୁଳନାରେ ଭଲ ନମ୍ବର ରଖୁଛନ୍ତି । ଏକାଧିକ ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖୁଛନ୍ତି ।

ବାଳିକା ହାଇସ୍କୁଲ ୟୁନିଟ୍ -୯ ହାଇସ୍କୁଲରେ ମିଶ୍ରଣ ହେଲେ ଛାତ୍ରୀମାନଙ୍କ ପାଠପଢ଼ା ପ୍ରଭାବିତ ହେବ ବୋଲି କହିଛନ୍ତି ଅଭିଭାବକ । ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଜମି ଦେବାକୁ ଯାଇ ରାଜ୍ୟ ସରକାର ଏଭଳି ଏକ ପୁରାତନ ଶିକ୍ଷାନୁଷ୍ଠାନର ସତା ହଜାଇଦେବା ନିଷ୍ପତ୍ତିକୁ ଅଭିଭାବକ ଓ ଛାତ୍ରୀ ବିରୋଧ କରିଛନ୍ତି । ସେପଟେ ଘଟଣା ସ୍ଥଳରେ କଂଗ୍ରେସ ନେତା ସୁର ରାଉତରାୟ ପହଞ୍ଚି ଏହାକୁ ବିରୋଧ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।