ମହାଲିଙ୍ଗ କଲେଜ ଛାତ୍ରଙ୍କ ସଙ୍ଗୀନ ଅଭିଯୋଗ : ଗୁପ୍ତକୋଠରୀକୁ ଆସୁଥିଲେ ନେତା,ମନ୍ତ୍ରୀ…ଯୁବତୀ ଯାଉଥିଲେ; କିଛି ଛାତ୍ରୀଙ୍କୁ ଭୁବନେଶ୍ୱର ମଧ୍ୟ ନିଆଯାଇଥିଲା

513

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ୍‌ର ଗୁପ୍ତକୋଠରୀକୁ ନେଇ ଏବେ ଚର୍ଚ୍ଚା ! ଗୁପ୍ତ କୋଠରୀକୁ ଯାଉଥିଲେ ନେତା ଓ ମନ୍ତ୍ରୀ । କଲେଜର ଜଣେ ଛାତ୍ର ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କଲେଜରେ ଥିବା ଗୁପ୍ତ କୋଠରୀକୁ ଯୁବତୀମାନଙ୍କୁ ନିଆଯାଉଥିଲା । ସେଠାକୁ ପ୍ରଭାବଶାଳୀ ଲୋକ ଆସୁଥିଲେ । ରାତିରେ ମଧ୍ୟ ରହୁଥିଲେ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ପ୍ରତିବାଦ କରିବାକୁ କାହାରିକୁ ସୁଯୋଗ ଦିଆଯାଉନଥିଲା । କିଛି ଛାତ୍ରୀଙ୍କୁ ଭୁବନେଶ୍ୱର ମଧ୍ୟ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଏହାପୂର୍ବରୁ ଗତକାଲି ମଧ୍ୟ ଜଣେ ଛାତ୍ର ଅଭିଯୋଗ ଆଣିଥିଲେ ଯେ କଲେଜର ଲେଡିଜ ହଷ୍ଟେଲକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆସୁଥିଲେ । ଏହାସହ ମାଲିକ ଗୋବିନ୍ଦ ସାହୁ ଲେଡିଜ ହଷ୍ଟେଲରେ ଦିନ ରାତି ରହୁଥିଲା ବୋଲି କହିଥିଲେ ଛାତ୍ର । କଲେଜରେ ଅନ୍ୟମାନଙ୍କୁ ମୋବାଇଲ ମନା ଥିବା ବେଳେ କିଛି ଯୁବତୀଙ୍କୁ ମୋବାଇଲ ନେବାକୁ ଅନୁମତି ମିଳିଥିଲା । ଯେଉଁମାନେ ସେକ୍ସ ରାକେଟରେ ସାମିଲ ଥିଲେ ସେମାନଙ୍କୁ ମୋବାଇଲ ପାଇଁ ଅନୁମତି ଦିଆଯାଉଥିଲା ବୋଲି କହିଥିଲେ ଛାତ୍ର ।

ଏହା ଏକ ଯୌନ କେଳେଙ୍କାରୀର ଆଡ୍ଡା, ଯେଉଁଠି ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆପ୍ୟାୟିତ ହେଉଥିଲେ । ଏହାର ସୁଯୋଗ ନେଇ ଅହେତୁକ ଅନୁକମ୍ପା ଓ ସାହାଯ୍ୟ ସହଯୋଗ ହାସଲ କରୁଥିଲେ ସ୍କୁଲ୍‌ର ମାଲିକ ଗୋବିନ୍ଦ ସାହୁ । ଏହି କାରଣରୁ ସରକାରୀ ଯୋଜନାର ଅର୍ଥ ମହାଲିଙ୍ଗ କଲେଜରେ ବିନିଯୋଗ ହେଉଥିଲା । ଏପର୍ଯ୍ୟନ୍ତ ପୁଲିସ ଏହି ଗୁପ୍ତ କୋଠରିର ଗୁମର ଖୋଲି ନଥିବା ଯୋଗୁଁ ଅନେକ ରହସ୍ୟ ଏବେ ମଧ୍ୟ ଉନ୍ମୋଚିତ ହୋଇପାରିନାହିଁ । ନିଖୋଜ୍‌ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର୍‌ଙ୍କ ପରିବାର ପକ୍ଷରୁ ସଙ୍ଗୀନ୍‌ ଅଭିଯୋଗ ଅଣାଯିବା ପରେ ଗୁପ୍ତ କୋଠରୀର କଳାକାର୍‌ନାମା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି ।

ମହାଲିଙ୍ଗ କଲେଜ ମୁଖ୍ୟ ଗେଟ୍‌ର ବାମ ପାର୍ଶ୍ବରେ ଯୁକ୍ତ ଦୁଇ ହଷ୍ଟେଲରେ ରହିଛି ଏହି ଗୁପ୍ତ କୋଠରୀ । କୁହାଯାଉଛି ଯେ ଏହି ଗୁପ୍ତ କୋଠରୀ ହେଉଛି ଅନେକ କଳାକାରନାମାର ମୂକସାକ୍ଷୀ । ମାର୍କ ବଢ଼ାଇବା ପାଇଁ ପ୍ରଲୋଭିତ କରି ଛାତ୍ରୀମାନଙ୍କୁ ଏଠାରେ ନେତା, ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭେଟି ଦେଉଥିଲେ । ଏଠାରେ ଆପ୍ୟାୟିତ ହେବାପରେ କଲେଜ ଓ ଏହାର ମାଲିକ ଗୋବିନ୍ଦଙ୍କ ପ୍ରତି ଅକୁଣ୍ଠ ସହଯୋଗ କରୁଥିଲେ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତି । ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ଜାଣୁଥିଲେ । ମାତ୍ର ଗୋବିନ୍ଦ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବାରୁ ଏବଂ ତାଙ୍କ ଉପରେ ନେତା, ମନ୍ତ୍ରୀଙ୍କ ଆଶୀର୍ବାଦ ରହିଥିବାରୁ ପ୍ରତିବାଦ କରିବାକୁ ସେମାନେ ସାହସ ଜୁଟାଇ ପାରୁନଥିଲେ। ସେହିଭଳି, ଲୋକଲଜ୍ଜା ଭୟରେ ଛାତ୍ରୀମାନେ ମଧ୍ୟ ପାଟି ଖୋଲିବାକୁ ସାହସ କରୁନଥିଲେ ।