‘ଫୋନି’ ପରେ ଫାଇଟ୍ । ବିଦ୍ୟୁତ୍ ସେବାନେଇ ଛଟପଟ ହେଉଥିବା ପ୍ରଭାବିତଙ୍କ ଘରେ ପହଁଚି ସ୍ଥିତି ସୁଧାରୁଛନ୍ତି ସରକାରୀ ଆଇଟିଆଇ ଛାତ୍ର ।

266

କନକ ବ୍ୟୁରୋ: ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ବାତ୍ୟା ପ୍ରପୀଡ଼ିତମାନେ ବିଦ୍ୟୁତ୍ ଯୋଗାଣ ନେଇ ଛଟପଟ ହେଉଥିବାବେଳେ ସରକାରୀ ଆଇଟିଆଇ କୁଶଳୀ ଛାତ୍ରମାନେ କମାଲ କରିଛନ୍ତି । ବାତ୍ୟା ପରବର୍ତ୍ତୀ ପୁନଃରୁଦ୍ଧାର କାର୍ଯ୍ୟରେ ବିଦ୍ୟୁତ୍ ସମସ୍ୟାରେ ସମ୍ମୁଖୀନ ହେଉଥିବା ଲୋକଙ୍କ ଘରେ ପହଁଚି ବିଦ୍ୟୁତ୍ ସେବାକୁ ଯୋଗାଇବାରେ ଅନ୍ୟ ଏକ ଉଦାହରଣ ପାଲଟିଛନ୍ତି ଏହି ଆଇଟିଆଇ ଛାତ୍ରଗଣ ।

ଗତ ୩ ତାରିଖ ପରଠାରୁ ରାଜ୍ୟର ପ୍ରମୁଖ ଜିଲ୍ଲା, ପୁରୀ, ଖୋର୍ଦ୍ଧା, କଟକ ଭଳି ସ୍ଥାନରେ ଲୋକମାନେ ବିଜୁଳି ପାଇଁ ହାହାକାର କରୁଥିବାବେଳେ ଏହି ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନର ଛାତ୍ରମାନେ ଘରେ ଘରେ ପହଁଚି ସମସ୍ୟାର ସମାଧାନ କରୁଥିବା ଦେଖିବାକୁ ମିଳିଛି । ତେବେ ଏଭଳି ବିଦ୍ୟୁତ୍ ସମସ୍ୟାରେ ଛଟପଟ ହେଉଥିବା ଜଣକ ଘରେ ଯାଇ ପହଁଚି ବିଦ୍ୟୁତ୍ ସମସ୍ୟାକୁ ଦୂର କରିଥିବାରୁ ଏହି ଛାତ୍ରମାନଙ୍କ ଭୂରିଭୂରି ପ୍ରଶଂସା କରିଛନ୍ତି ଉକୃତ ବ୍ୟକ୍ତି । ଏପରିକି ଏହି ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅନ୍ୟପଟେ ରାଜ୍ୟ ସରକାର ଫୋନି ପ୍ରଭାବିତ ଅଞ୍ଚଳରେ ତୁରନ୍ତ ବିଦ୍ୟୁତ୍ ସେବା ଯୋଗାଇଦେବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ଏପରିକି ଗତକାଲି ମାସର ଦ୍ୱିତୀୟ ଶନିବାର ଏବଂ ଆଜି ରବିବାର ହୋଇଥିଲେ ମଧ୍ୟ ସରକାରୀ ଦଫ୍ତର ଖୋଲା ରଖାଯାଇଛି । କାରଣ ଲୋକମାନଙ୍କ ପାଇଁ ସମସ୍ତ ମୌଳିକ ସୁବିଧା କିଭଳି ତୁରନ୍ତ ପହଁଚିବ ସେନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି ।