କନକ ବ୍ୟୁରୋ: ସାମ୍ନାକୁ ଆସିଛି ଶିକ୍ଷାର ଶୋଚନୀୟ ଚିତ୍ର । ଖୋଦ ରାଜଧାନୀରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଖାରବେଳନଗର ସ୍ଥିତ ୟୁନିଟ୍ –୩ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ କୋଠରୀରେ ପଢୁଛନ୍ତି ୫ଟି ଶ୍ରେଣୀର ଛାତ୍ରଛାତ୍ରୀ । ଆଉ ପାଠ ପଢାଉଛନ୍ତି ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପିପିଲିକାନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକରେ ଚାଲିଛି ସ୍କୁଲ । ତେବେ କେବଳ ଏହି ଦୁଇଟି ସ୍କୁଲ ନୁହେଁ ରାଜ୍ୟର ୬୦୦୦ ହଜାରରୁ ଅଧିକ ସ୍କୁଲରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି । ଆଉ ଶିକ୍ଷାର ବିକଳ ଚିତ୍ରକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି ।

Advertisment
  • ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର
  • କେଉଁଠି ଶିକ୍ଷକ ନାହାନ୍ତି ତ’ କେଉଁଠି ନାହିଁ ସ୍କୁଲ ଘର

ଗୋଟିଏ କୋଠରୀ, ହେଲେ ପଢୁଛନ୍ତି ୫ଟି ଶ୍ରେଣୀର ଛାତ୍ରଛାତ୍ରୀ । ଗୋଟିଏ କୋଣରେ ବସିଛନ୍ତି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ । ଆଉ ଅନ୍ୟପଟେ ବସିଛନ୍ତି ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ । ଏଭଳି କିଛି ଖବର ଆସିଛି ରାଜଧାନୀ ଭୁବନେଶ୍ୱର ଖାରବେଳନଗର ସ୍ଥିତ ୟୁନିଟ୍ –୩ ପ୍ରାଥମିକ ବିଦ୍ୟାଳୟରୁ । ଯେଉଁଠି ପାଠ ପଢାଉଛନ୍ତି ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ । ଉଭୟଙ୍କ ଭିତରୁ ଜଣଙ୍କର ଛୁଟି ଥିଲେ ବା କୌଣସି ସରକାରୀ କାମରେ ଯାଇଥିଲେ, ଜଣେ ଶିକ୍ଷକ ହିଁ ଏହି ୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ।

ତେବେ କେବଳ ଭୁବନେଶ୍ୱର ନୁହେଁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପିପିଲିକାନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକରେ ଚାଲିଛି ସ୍କୁଲ । ସେଠାରେ ବି ଗୋଟିଏ କୋଠରୀ ବସୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ । ଏହି ସ୍କୁଲରେ ତିନୋଟି ଶ୍ରେଣୀ ଗୃହ ରହିଛି, ହେଲେ ଦୁଇଟି ଗୃହର ଅବସ୍ଥା ଶୋଚନୀୟ । ମାତ୍ର ଗୋଟିଏ କୋଠରୀରେ ବସୁଛନ୍ତି ଛାତ୍ରଛାତ୍ରୀ । ତେବେ କେବଳ ଏହି ଦୁଇଟି ସ୍କୁଲ ନୁହେଁ, ତଥ୍ୟ କହୁଛି – ରାଜ୍ୟର ୬୦୦୦ ହଜାରରୁ ଅଧିକ ସ୍କୁଲରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି । ଏହାର ସମାଧାନ ପାଇଁ ପ୍ରାଥମିକ ନିର୍ଦ୍ଦେଶାଳୟ ବିକଳ୍ପ ବ୍ୟବସ୍ଥା କରିଛି । ଯେଉଁ ସ୍କୁଲରେ ଜଣେ ଶିକ୍ଷକ ଅଛନ୍ତି ସେହି ସ୍କୁଲ ପାଖରେ ଥିବା ସ୍କୁଲର ଶିକ୍ଷକ ଆଣି ଛାତ୍ରଛାତ୍ରୀଙ୍କ ଅନୁପାତ ସମାନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପ୍ରାଥମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ।

ଅନ୍ୟପଟେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ସରକାରଙ୍କୁ ଘେରିଛି ବିଜେପି । ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ନେଇ ସରକାର ଡିଣ୍ଡିମ ପିଟୁଥିବାବେଳେ ଗତ ୧୧ ବର୍ଷରେ ଗୋଟିଏ ବି ନୂଆ ସରକାରୀ ବିଦ୍ୟାଳୟ ହୋଇନଥିବା କହିଛନ୍ତି ବିଜେପି ନେତା ତେଜେଶ୍ୱର ପରିଡା । ତେବେ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ମୁଳଦୁଆ ପଡିଥାଏ । କିନ୍ତୁ ଦୁର୍ଭାଗ୍ୟର କଥା, ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ପ୍ରତି ସରକାରଙ୍କ ନଜର ନାହିଁ ।