କନକ ବ୍ୟୁରୋ: ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଦ୍ୟାଳୟର ଭିତିଭୂମି ବିକାଶ ଓ ଗୁଣାତ୍ମକ ଶିକ୍ଷା ପାଇଁ ଅନେକ ବ୍ୟବସ୍ଥା ମଧ୍ୟ କରାଯାଉଛି । ହେଲେ ଗଜପତି ମୋହନା ବ୍ଲକ ଧାଡ଼ିଆମ୍ବ ବିଦ୍ୟାଳୟକୁ ଦେଖିଲେ ଶିକ୍ଷା ବ୍ୟବସ୍ଥାର ବାସ୍ତବତା ସହଜେ ଅନୁମାନ କରିହେବ । ୧୮୭୭ ମସିହାରୁ ସ୍ଥାପିତ ଏହି ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୮ ଜଣ ପିଲା ପାଠ ପଢୁଥିବା ବେଳେ ୨ଜଣ ଶିକ୍ଷକ ଅଛନ୍ତି । ପାଞ୍ଚୋଟି ଶ୍ରେଣୀ ପାଇଁ ରହିଛି ଗୋଟିଏ ଶ୍ରେଣୀଗୃହ । ସେହି ଶ୍ରେଣୀଗୃହରେ ପାଠ ପଢାଉଛନ୍ତି ୨ଜଣ ଶିକ୍ଷକ ।

Advertisment

ସବୁଠାରୁ ବଡ଼ କଥା ହେଉଛି ସ୍କୁଲ କାନ୍ଥରେ ପ୍ରାୟ ୪୦ ଫୁଟର କଳାପଟା ରହିଛି । ସେହି କଳାପଟାରେ ଏକାଠି ପାଠ ପଢୁଛନ୍ତି ୫ଟି ଶ୍ରେଣୀର ପିଲା । ସେହିପରି ଗାଁରେ ରହିଛି ଆଉ ଏକ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୧୯୯୪ରୁ ସ୍ଥାପିତ ଏହି ବିଦ୍ୟାଳୟରେ ଆରମ୍ଭରୁ ଶିକ୍ଷକ ସମସ୍ୟା ଲାଗି ରହିଛି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩୦ ଜଣ ଛାତ୍ର ପାଠ ପଢୁଛନ୍ତି । ହେଲେ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି । ପାଠପଢାରେ ଅସୁବିଧା ହେବାରୁ ସ୍କୁଲ କମିଟିର ନିଷ୍ପତି କ୍ରମେ ଜଣେ ସ୍ଥାନୀୟ ଯୁବକ ଅସ୍ଥାୟୀ ଭାବେ ସ୍କୁଲରେ ପାଠପଢାଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ବିଦ୍ୟାଳୟର ପିଅନ ମଧ୍ୟ ପିଲାଙ୍କୁ ପାଠ ପଢାଉଛନ୍ତି । ଅନେକ ଥର ଏନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି ପ୍ରଧାନଶିକ୍ଷକ ।