କନକ ବ୍ୟୁରୋ: ଶିକ୍ଷକଙ୍କ ଡେପୁଟେସନ ପ୍ରତ୍ୟାହାର ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ତୁରେକେଲା ବ୍ଲକ ଚଟୁଅନକା ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏପରି ଚିତ୍ର । ତାଲା ପକାଇ ବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ବିଦ୍ୟାଳୟର ଛାତ୍ରଛାତ୍ରୀ । ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ୩୯୩ ଛାତ୍ରୀଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୭ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି ।
ସେମାନଙ୍କ ମଧ୍ୟରୁ ୩ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେପୁଟେସନ କରାଯାଇଛି । ଜଣେ ଶିକ୍ଷୟତ୍ରୀ ନୋ ୱାର୍କ ନୋ’ପେ’ରେ ଅଛନ୍ତି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀମାନେ କେମିତି ପାଠ ପଢିବେ, ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଅଭିଭାବକ । ତେଣୁ ଡେପୁଟେସନକୁ ପ୍ରତ୍ୟାହାର କରିବା ସହ ନୋ ୱାର୍କ ନୋ ପେ’ରେ ଥିବା ଶିକ୍ଷୟତ୍ରୀଙ୍କ ସ୍ଥାନରେ ଅନ୍ୟ ଶିକ୍ଷୟତ୍ରୀ ନିଯୁକ୍ତ କରିବା ଦାବିରେ ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ସେପଟେ ଜଣେ ସିଆରସିସି ଛାତ୍ରଛାତ୍ରୀ ବୁଝାଇବାକୁ ଚେଷ୍ଟା କରିଥିଲେ ବି କୌଣସି ସୁଫଳ ମିଳିନାହିଁ ।