କନକ ବ୍ୟୁରୋ: ବିଚିତ୍ର ବିଦ୍ୟାଳୟ । କାଠ ଖୁଂଟି, ତାଳ ବରଡାରେ ଠିଆ ହୋଇଛି ସ୍କୁଲ । ଦିନରେ ପାଠପଢା ଚାଲିଥିବା ବେଳେ ରାତିରେ ପାଲଟି ଯାଉଛି ଗୁହାଳ । ଅନୁଗୁଳ ଆଠମଲ୍ଲିକର ଏ ହେଉଛି ସିଦ୍ଧପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ବିପଦ ସଙ୍କୁଳ ଅବସ୍ଥାରେ ଥିବା ଖୋଲାମେଲା ତାଳବରଡା ପଲିଥିନ ତଳେ ଚାଲିଛି ପାଠପଢା । ଆଉ ତା ସାଙ୍ଗକୁ ମଧ୍ୟାହ୍ନ ଭୋଜନ ବି ରନ୍ଧା ହେଉଛି । ତେବେ ବଡ କଥା ହେଲା ଦିନରେ ଛାତ୍ରଛାତ୍ରୀଙ୍କ ପାଠଶାଳା ପାଲଟିଥିବା ଏହି କୁଡିଆଟି ରାତି ହେଲେ ପାଲଟିଯାଏ ଗୋଶାଳା ।

Advertisment

publive-image

ସେପଟେ ଅଫିସ୍ ଗୃହ ଚାଲିଛି ପାଇଖାନାରେ । ଖରା, ବର୍ଷା , ଶୀତ କାକରରେ ଏଭଳି ବର୍ଷ ବର୍ଷ ଧରି ବିପଦ ସଙ୍କୁଳ ଅବସ୍ଥାରେ ପାଠପଢୁଛନ୍ତି କୋମଳପତି ଶିଶୁ । ବିଷାକ୍ତ ସର୍ପଙ୍କ ଚରାଭୁଇଁ ଥିବା ଏହି ସ୍ଥାନରେ ବୁଲା କୁକୁର, ଗାଇଗୋରୁଙ୍କ ବି ଅବାଧ ପ୍ରବେଶ ଦେଖିବାକୁ ମିଳିଥାଏ । ଯେଉଁଠି ଚାଲିଛି ପାଠପଢା ସେଇଠି ପୁଣି ଚାଲିଛି ମଧ୍ୟାହ୍ନ ଭୋଜନର ପ୍ରସ୍ତୁତି । ଆଉ ସେଇଠି ହିଁ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ବି ଖାଉଛନ୍ତି ।

publive-image

କେତେବେଳେ ଯେ କଣ ଘଟିବ ତାହା କହିହେବ ନାହିଁ ? ଭଗବାନଙ୍କ ଭରସାରେ ଚାଲିଥିବା ଏହି ବିଦ୍ୟାଳୟରେ ନା ଅଛି କୌଣସି ପାଚେରୀ ନା ଅଛି କୌଣସି ଆନୁସାଙ୍ଗିକ ବ୍ୟବସ୍ଥା । ଏ ନେଇ ଯାହାକୁ ଗୁହାରି କଲେ ବି ଏଥିପ୍ରତି କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । ସରକାରଙ୍କ ପକ୍ଷରୁ ଗତ ୨୦୦୯ ମସିହାରେ ବିଦ୍ୟାଳୟଟି ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ବିତିଯାଇଛି ପାଖାପାଖି ୧୦ ବର୍ଷ । ମାତ୍ର ଅସଲ କଥା ହେଲା କି ସରକାର ବିଦ୍ୟାଳୟ ଖୋଲିଦେଲେ ସିନା ହେଲେ ବିଦ୍ୟାଳୟର କୋଠାଗୃହ ଅଦ୍ୟାବଧି ନିର୍ମାଣ ହୋଇପାରିନାହିଁ ।