କରୋନାକୁ ନେଇ କୋରାପୁଟରେ ସଚେତନତାର ବାର୍ତା ବାଂଟିଲେ ଛାତ୍ରୀ । ଗାଁ ଗାଁ ବୁଲିଲେ, ଲୋକଙ୍କୁ ସତର୍କ କରାଇଲେ ।

408

କନକ ବ୍ୟୁରୋ : ଗାଁ ଗାଁରେ ବୁଲି କରୋନା ଭୂତାଣୁ ଠାରୁ ଦୂରେଇବା ପାଇଁ ସଚେତନ କରାଉଛନ୍ତି ଛାତ୍ରୀ । କରୋନାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ନିଜେ ସଫା ସୁତୁରା ରହିବା ସହ ସଚେତନ ରୁହନ୍ତୁ । ସ୍କୁଲରେ ପାଠ ପଢିବା ପରେ ବଳକା ସମୟରେ ଗାଁ ଗାଁ ବୁଲି ଲୋକଙ୍କୁ ନିଜ ବୁଦ୍ଧିରେ ବୁଝାଉଛନ୍ତି ଛାତ୍ରୀ ।

ଗାଁ ଠୁ ସହର ସବୁଠି କରୋନାକୁ ନେଇ ଆତଙ୍କ । ଏହି ଭାଇରସକୁ ମହାମାରୀ ବୋଲି ଘୋଷଣା କରାଯିବା ପରେ ମୁକାବିଲା ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । ଆଉ ଏତିକି ବେଳେ କୋରାପୁଟରୁ ଆସିଛି ଏକ ଭିନ୍ନ ଚିତ୍ର । ଆଦିବାସୀ ଅଂଚଳରେ ଲୋକଙ୍କୁ ସଚେତନ କରାଇବା ପାଇଁ ଗାଁ ଗାଁରେ ବୁଲୁଛନ୍ତି ଛାତ୍ରୀ । ହରଦାପୁଟ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଗାଁ ଗାଁରେ ବୁଲି ଆଦିବାସୀ ଭାଷାରେ ଆଦିବାସୀ ଲୋକଙ୍କୁ କରୋନା ଭୂତାଣୁ ସଂପର୍କରେ ସଚେତନ କରାଉଛନ୍ତି ।

କରୋନାକୁ ନଡରି ସଫାସୁତରା ରହିବା ସହ କାସ, ଛିଙ୍କ ଠାରୁ ଦୂରେଇ ରହିବା ପାଇଁ ଛାତ୍ରୀମାନେ ବୁଝାଇଛନ୍ତି । ତେବେ ଛାତ୍ରୀମାନେ ଆଦିବାସୀ ଭାଷାରେ ବୁଝାଇବା ପରେ ଲୋକେ ଭୂତାଣୁକୁ ନେଇ ସତର୍କ ହୋଇଥିବା କହିଛନ୍ତି ଆଦିବାସୀ ମହିଳା । ହାରଦାପୁଟ ସରକାରୀ ବାଳିକା ବିଦ୍ୟାଳୟରେ ୨୫୦ ଜଣ ଛାତ୍ରୀ ପଢୁଥିବା ବେଳେ ଲୋକଙ୍କୁ କରୋନା ସଂପର୍କରେ ସଚେତନ କରାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଛି ଏହି ସ୍କୁଲ । ହାରଦାପୁଟ ଏକ ଆଦିବାସୀ ବହୁଳ ଅଂଚଳ । ଏଠାକାର ଅଧିକାଂଶ ଯୁବକ ଦାଦନ ଶ୍ରମିକ ଭାବେ ରାଜ୍ୟ ତଥା ଦେଶ ବାହାରେ କାମ କରନ୍ତି ।