ଶିକ୍ଷାଦର୍ପଣ ୟୁ-ଟ୍ୟୁବ ପାଠପଢାର ସୁଫଳ ପାଉନାହାନ୍ତି ଉପାନ୍ତ ଜିଲ୍ଲାର ଛାତ୍ରଛାତ୍ରୀ । ନେଟୱାର୍କ ଓ ଆଣ୍ଡ୍ରଏଡ୍ ମୋବଇଲ୍ ନଥିବାରୁ ପିଲାଏ ପଢି ପାରୁନାହାନ୍ତି ଅନଲାଇନ୍ ପାଠ

191

କନକ ବ୍ୟୁରୋ: ଲକଡାଉନ ସଟଡାଉନ ଯୋଗୁଁ ସ୍କୁଲ ବନ୍ଦ ରହିଛି । ବେସରକାରୀ ବିଦ୍ୟାଳୟ ଗୁଡିକ ଅନଲାଇନ ଶିକ୍ଷା ଜାରି ରଖିଥିବା ବେଳେ ସରକାରୀ ସ୍କୁଲ ପାଇଁ ଶିକ୍ଷାଦର୍ପଣ ଯୋଜନାରେ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ ହୋଇଛି । ହେଲେ ସମସ୍ତଙ୍କ ପାଖରେ ମୋବାଇଲ ନଥିବାରୁ ଏହି ପାଠପଢା କେତେ ସଫଳ ହେବ ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

ଶିକ୍ଷାଦର୍ପଣ ଯୋଜନାରେ ଅନଲାଇନ୍ ପାଠପଢା ହେଉଛି । ଆଉ ଗୋଟିଏ ଘରେ ଏକାଠି ବସି ଗୋଟିଏ ମୋବାଇଲ୍ରେ ପାଠ ପଢୁଛନ୍ତି ଏକାଧିକ ପିଲା । ଏଥିରେ ବି ବେଳେବେଳେ ନେଟୱାର୍କ କଟି ଯାଉଛି । ଏ ଦୃଶ୍ୟ କନ୍ଧମାଳ ଜିଲ୍ଲା ସହରାଂଚଳର । ସହରାଂଚଳର ଏଭଳି ସ୍ଥିତି ଦେଖି, ଉପାନ୍ତ ଗ୍ରାମାଂଚଳର କଥା ଅନୁମାନ କରିପାରୁଥିବେ ଆପଣ । କନ୍ଧମାଳ ଜିଲ୍ଲାର ୪୦ ପ୍ରତିଶତ ଅଂଚଳରେ ବିଏସଏନଏଲ ନେଟୱାର୍କ ରହିଛି । ସହରାଂଚଳରେ ବିଏସଏନଏଲ ପକ୍ଷରୁ ଫୋର-ଜିର ସୁବିଧା ଥିବା ବେଳେ ଗ୍ରାମାଂଚଳର କିଛି ସ୍ଥାନରେ ଥ୍ରି-ଜି ଓ ଟୁ-ଜି ନେଟୱାର୍କ ରହୁଛି । ଅନ୍ୟ ନେଟ୍ୱାର୍କ ତ ବିଲକୁଲ୍ ଆସୁନାହିଁ । ତେଣୁ ୟୁ-ଟ୍ୟୁବ୍ ପାଠ ପ୍ରାୟ ୭୫ ଭାଗ ପିଲାଙ୍କ ପାଖରେ ପହଂଚି ପାରୁନାହିଁ ।

ସମ୍ବଲପୁର ସହରର ଦଲଦଲି ପଡାରେ ବି ବିପର୍ଯସ୍ତ ଅନଲାଇନ୍ ଶିକ୍ଷା । ଏହି ବସ୍ତିର ୫୦ରୁ ଅଧିକ ପିଲା ସରକାରୀ ସ୍କୁଲରେ ପଢୁଥିବା ବେଳେ ପୁରା ବସ୍ତିରେ ମାତ୍ର ୫ଟି ଆଣ୍ଡ୍ରଏଡ୍ ଫୋନ ରହିଛି । ଏଥିର ବିଭିନ୍ନ ଶ୍ରେଣୀରେ ପଢୁଥିବା ପିଲା କେମିତି ୟୁ-ଟ୍ୟୁବ ପାଠ ପଢିବେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । ସେପଟେ କୋରାପୁଟ ଜିଲ୍ଲା ଗେଟଗୁଡ଼ା ବସ୍ତିରେ ପାନ ଦୋକାନୀଙ୍କ ପୁଅ-ଝିଅ ବି ଭୋଗୁଛନ୍ତି ସମାନ ଦଶା । ବାପାଙ୍କର ଆଣ୍ଡଏଡ ଫୋନ ନଥିବାରୁ ଅଟକି ଯାଇଛି ଏମାନଙ୍କ ପାଠପଢା

କରୋନା ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ୨୦୨୧-୨୨ ଶିକ୍ଷା ବର୍ଷର ପାଠପଢା ଶିକ୍ଷାଦର୍ପଣ ଯୋଜନାରେ ୟୁ-ଟ୍ୟୁବ୍ ଯୋଗେ ଆଗେଇ ନେଉଛି ଶିକ୍ଷା ବିଭାଗ । ହେଲେ ଉପାନ୍ତ ଅଂଚଳରେ ଏ ବ୍ୟବସ୍ଥା କେତେ ପ୍ରଭାବୀ, ଏସବୁ ଦୃଶ୍ୟ ହେଉଛି ତା’ର ଗୋଟିଏ ଗୋଟିଏ ଉଦାହରଣ ।