କନକ ବ୍ୟୁରୋ : କେନ୍ଦ୍ରାପଡା ଭୋପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଏବଂ ସପ୍ତମ କ୍ଲାସ ବନ୍ଦକୁ ବିରୋଧ କରି ଧାରଣାରେ ଅଭିଭାବକ ଓ ଛାତ୍ରଛାତ୍ରୀ । ପୁଣି ଥରେ ସେହି ସ୍କୁଲରେ ଷଷ୍ଠ ଓ ସପ୍ତମ କ୍ଲାସ ପାଠପଢ଼ା ଆରମ୍ଭ କରିବାକୁ ଦାବି କରାଯାଉଛି । ପିଲାଙ୍କ ଯାତାୟତରେ ଅସୁବିଧା ହେଉଥିବାରୁ ଏହି ଦାବି କରିଛନ୍ତି ଅଭିଭାବକ ।
କେନ୍ଦ୍ରାପଡା ମହାକାଳଡା ବ୍ଲକ ଲାଂଜୁଡା ପଂଚାୟତର ଭୋପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଏବଂ ସପ୍ତମ କ୍ଲାସ ବନ୍ଦକୁ ବିରୋଧ । ଛାତ୍ରଛାତ୍ରୀଙ୍କ ସହ ଧାରଣାରେ ସାମିଲ ହୋଇଛନ୍ତି ଅଭିଭାବକ । ପ୍ରତିଦିନ ୫ କିମି ରାସ୍ତା ଯିବା ସମ୍ଭବ ନଥିବାରୁ ନିଜ ସ୍କୁଲରେ ପୁଣି ଥରେ ଷଷ୍ଠ ଓ ସପ୍ତମ କ୍ଲାସ ପାଠ ପଢ଼ାଇବାକୁ ଦାବି କରାଯାଇଛି । ଜଙ୍ଗଲ ରାସ୍ତା ଦେଇ କିଏ ସାଇକେଲରେ ତ ଆଉ କିଏ ଚାଲି ଚାଲି ସ୍କୁଲ ଯାଉଛନ୍ତି । ବାଟରେ ଜଙ୍ଗଲୀ ବାରାହା ସହିତ ଜୀବଜନ୍ତୁଙ୍କ ବିପଦ ରହିଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବ ।
ଭୋପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟର ଗୋଟିଏ ଛାତ ତଳେ ୨୦୧୯ ମସିହା ପୁର୍ବରୁ ଦୁଇଟି ସ୍କୁଲ ଚାଲୁଥିଲା । ଭୋପାଳ ସରକାରୀ ପ୍ରାଥମିକ ବିଦ୍ୟାଳରେ ପ୍ରଥମରୁ ପଞ୍ଚମ ଯାଏ କ୍ଲାସ୍ ଥିବାବେଳେ ତୁଳସୀ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠରୁ ସପ୍ତମ ଯାଏ କ୍ଲାସ ଚାଲିଥିଲା । ହେଲେ ସ୍କୁଲରେ ଶିକ୍ଷକମାନେ ଅବସର ଗ୍ରହଣ କରିବା ପରେ ଶିକ୍ଷା ବିଭାଗ ପକ୍ଷରୁ ନୁତନ ଶିକ୍ଷକ ନିଯୁକ୍ତି ଦିଆ ନଯାଇ ସ୍କୁଲଟିକୁ ବନ୍ଦ କରିଦିଆଯାଇଥିଲା । ଯେଉଁଥି ପାଇଁ ସମସ୍ୟା ଭୋଗୁଛନ୍ତି ପ୍ରାଥମିକ ବିଦ୍ୟାଳରୁ ପାଶ୍ ଆଉଟ୍ ହେଉଥିବା ପଂଚମ ଶ୍ରେଣୀ ଛାତ୍ରଛାତ୍ରୀ ।
ଖାଲି ସେତିକି ନୁହେଁ ସ୍କୁଲ ଘରର ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ଜରାଜୀର୍ଣ୍ଣ ହେବାକୁ ଲାଗିଲାଣି । ଛାତରୁ ବଡ ବଡ କଂକ୍ରିଟ ସ୍ଲାବ ଖସିବା ସହିତ ଲୁହା ରଡ୍ ଦେଖା ଗଲାଣି । କବାଟ ଝରକା ସବୁ କଳଙ୍କି ଲାଗି ଭାଙ୍ଗିରୁଜି ଯିବା ସହିତ ବର୍ଷା ହେଲେ ଘରଭିତରକୁ ପାଣି ପଶୁଥିବା ଅଭିଯୋଗ ହେଉଛି । ବାଧ୍ୟହୋଇ ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ମିଳିତ ହୋଇ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ସ୍କୁଲ ମରାମତି ଏବଂ ଷଷ୍ଠ ସପ୍ତମ କ୍ଲାସ୍ ପୁନର୍ବାର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି ।