କନକ ବ୍ୟୁରୋ: ଛାତ୍ରୀଙ୍କ ପ୍ରମାଣପତ୍ର ବନ୍ଧା, ଥାନାର ଦ୍ୱାରସ୍ଥ। ନକଲି କାରବାରକୁ ନେଇ ବରଗଡ ସହରରେ ଚର୍ଚ୍ଚା ଥମୁନି । ଆଉ ଏ ଭିତରେ ଆସିଛି ମହାବୀର ସଂସ୍ଥାର ମହାଠକେଇ ଅଭିଯୋଗ । ଗୋଟିଏ ଜାଗାରେ ଏକାଧିକ ଅନୁଷ୍ଠାନ କରି ବେପାର ଜମାଇଛି ସଂସ୍ଥା । ଆଉ ଛାତ୍ରଛାତ୍ରୀଙ୍କ ଅସଲି ପ୍ରମାଣପତ୍ର ରଖି ଜୋରଜବରଦସ୍ତ ଟଙ୍କା ଆଦାୟ କରୁଛି । ଏଭଳି ଅଭିଯୋଗ ବରଗଡ ଟାଉନଥାନାରେ ପହଞ୍ଚିଛି । ମାମଲାର ତଦନ୍ତ ମଧ୍ୟ ପୁଲିସ ଆରମ୍ଭ କରିଛି ।
ସୂଚନା ଅନୁସାରେ ବରଗଡ ସଦର ବ୍ଲକ ପ୍ରଧାନପାଲି ଗାଁ ଗାଁର ରୁବି ମହାନନ୍ଦ । ଏଏନଏମ ତାଲିମ ପାଇଁ ମହାବୀର ଏଏନଏମ ଅନୁଷ୍ଠାନରେ ନାମ ଲେଖାଇଥିଲେ । ନାମଲେଖା ସମୟରେ ଟଙ୍କା ପଡିବନି କୁହାଗଲା । ହେଲେ ଏବେ ତାଙ୍କୁ ଏକ ଲକ୍ଷ ଟଙ୍କା ମଗାଯିବାରୁ ସେ ଥାନାକୁ ଯାଇ ଏତଲା ଦେଇଛନ୍ତି । ଆଉ ଏତଲା ଦେବା ପରେ ସେ କହିଛନ୍ତି, କଲେଜରେ ପ୍ରଥମ ବର୍ଷ ପାଠ ପଢିଥିଲେ । ଭଲ ପାଠପଢା ଯାଉନଥିଲା । ଦ୍ୱିତୀୟ ବର୍ଷ ବାପା,ମାଙ୍କ ଦେହାନ୍ତରୁ ସେ କଲେଜକୁ ଆସିନଥିଲେ । କାରଣ ପ୍ରାକ୍ଟିକାଲ କ୍ଲାସ ବି ହେଉନଥିଲା । ଏବେ ଦାଖଲ କରିଥିବା ଅସଲି ମ୍ୟାଟ୍ରିକ, ଯୁକ୍ତ ଦୁଇ ପ୍ରମାଣପତ୍ର ମାଗିବାରୁ ଏକ ଲକ୍ଷ ଟଙ୍କା ତାଙ୍କୁ ମଗାଯାଉଥିବା ସେ ଥାନାରେ ଅଭିଯୋଗ କରିବା ସହ ଗଣମାଧ୍ୟମ ଆଗରେ କହିଛନ୍ତି । ଏ ଅଭିଯୋଗ ପରେ ପୁଲିସ ପଚରାଉଚୁରା ଆରମ୍ଭ କରିଛି । ଅନ୍ୟ ଅଭିଯୋଗରୁ ଜଣାଯାଏ ଯେ, ମହାବୀର ସଂସ୍ଥା କରିଥିବା ବିଭିନ୍ନ ଅନୁଷ୍ଠାନରେ ଆବଶ୍ୟକ ଶିକ୍ଷକ ନାହାନ୍ତି । କାଗଜପତ୍ରରେ ଶିକ୍ଷକରୁ ଅଧ୍ୟକ୍ଷ ରହୁଛନ୍ତି । ମାଲିକ କିଏ? ଟ୍ରଷ୍ଟର କିଏ କିଏ ସଦସ୍ୟ? ଚାରି ପାଞ୍ଚଟି ଅନୁଷ୍ଠାନ ଯଥା-ବିଏସସି ନର୍ସିଂ, ଜିଏନଏମ, ଏଏନଏମ, ଡିଏମଏଲଟିର ବିଜ୍ଞାପନ କଲେଜ ଆଗରେ ଦିଆଯାଇ ଆଡମିସନ ହେଉଥିବା ବେଳେ କେତୋଟି ଅନୁଷ୍ଠାନ ସ୍ୱୀକୃତିପ୍ରାପ୍ତ ତାକୁ ନେଇ ସ୍ପଷ୍ଟ ଉତ୍ତର କେହି ରଖୁ ନାହାନ୍ତି । ଗୋଟିଏ ଜାଗାରେ ଏତେ ଅନୁଷ୍ଠାନ ହେଲା କେମିତି? ମହାବୀର ଚାରିଚେଟୁବୁଲ ଟ୍ରଷ୍ଟର ମୁଖ୍ୟ କିଏ?
ମହାବୀର କଲେଜର ଚେୟାରମ୍ୟାନ ଶିରିସ ସାହୁ କିଏ କିଏ ସଦସ୍ୟ ପଚାରିଲେ ନାଁ ଧରୁ ନାହାନ୍ତି । ହେଲେ ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି ଡ.ପ୍ରବୀଣ ଅଗ୍ରୱାଲ ବୋଲି ସ୍ୱୀକାର କରିଛନ୍ତି । ଡ. ଅଗ୍ରୱାଲ ଜଣେ ଜଣାଶୁଣା ଡାକ୍ତର । ତାଙ୍କର ନର୍ସିଂହୋମ ମଧ୍ୟ ରହିଛି । ହେଲେ ଏ ଭିତରେ ମହାବୀର ଅନୁଷ୍ଠାନ ନାଁରେ ଅଭିଯୋଗ ନେଇ ତାଙ୍କୁ ପଚରାଯିବାରୁ ତାଙ୍କର କୌଣସି ସଂପୃକ୍ତି ନାହିଁ ବୋଲି କହିଥିଲେ । ଏହାସହ ଛାତ୍ରୀ ଯାହା ଅଭିଯୋଗ କରିଛନ୍ତି ତାହା ମିଥ୍ୟା ବୋଲି କହିଛନ୍ତି । କିନ୍ତୁ ପରୋକ୍ଷରେ ଅନୁଷ୍ଠାନ ସହ ତାଙ୍କ ସଂପର୍କ ରହିଥିବା ସେ ସ୍ୱୀକାର କରିଛନ୍ତି । ଆଉ ମହାବୀର ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀ ସାହୁ ସବୁ କାଗଜପତ୍ର ଠିକ ଥିବା କହିଛନ୍ତି । କିନ୍ତୁ ଏସବୁ ଭିତରେ ଟାଉନଥାନାକୁ ଅଭିଯୋଗ ପହଞ୍ଚିଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି ।