କଲମ ବଦଳରେ କୁନି ହାତରେ କାଠ । ସୁବର୍ଣ୍ଣପୁରରୁ ଆସିଲା ସାଂଘାତିକ ଚିତ୍ର । ବିଦ୍ୟାଳୟରେ ପାଠପଢା ବଦଳରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ କାଠ ବୋହୁଛନ୍ତି କୁନି ଛାତ୍ରଛାତ୍ରୀ ।

444

କନକ ବ୍ୟୁରୋ : ଆମେ ପାଠ ପଢିବୁ, ବଡ ମଣିଷ ହେବୁ । କଳା ଘୋଡାରେ ଚଢି ମଧୁବାବୁଙ୍କ ସହ ଲଢିବୁ । ଏମିତି କିଛି ପଣ କରି ସ୍କୁଲକୁ ପାଠ ପଢିବା ପାଇଁ ଯାଇଥାନ୍ତି କୁନି କୁନି ଛାତ୍ରଛାତ୍ରୀ । ଆଉ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ଆଲୋକ ମଧ୍ୟକୁ ଟାଣିଆଣିବା ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ଅନେକ ଯୋଜନା କରାଯାଇଛି ।

ତେବେ ସୁବର୍ଣ୍ଣପୁର ଜିଲ୍ଲାର ଏକ ସ୍କୁଲରୁ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି, ଯାହା ଶିକ୍ଷାବ୍ୟବସ୍ଥା ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେଉଁ ବୟସରେ ବିଦ୍ୟାଳୟ ଯାଇ କୁନି ହାତରେ କଲମ ଧରି ପାଠ ପଢିବା କଥା, ସେଠି ହାତରେ କାଠ ବୋହି ସ୍କୁଲକୁ ନେଉଛନ୍ତି କୁନି କୁନି ଛାତ୍ରଛାତ୍ରୀ ।

ବିଦ୍ୟାଳୟରେ ପାଠ ପଢିବା ବଦଳରେ କୁନିକୁନି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ କାଠ ବୋହୁଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ କାଠ ବୋହିବା କାମରେ ନିୟୋଜିତ କରୁଛନ୍ତି ବୋଲି ଅଭିଯୋଗ ହେଉଛି ।

ବିନିକା ବ୍ଲକ ଜୁଲୁଣ୍ଡା ପଞ୍ଚାୟତ କାଲସାଏପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏହି ଦୃଶ୍ୟ ଦେଖିବାକୁ ମିଲିଛି । ସ୍କୁଲ ସମୟରେ କୁନିକୁନି ଛାତ୍ରଛାତ୍ରୀମାନେ ଯେଉଁ ହାତରେ କଲମ ଧରି ପାଠ ପଢିବା କଥା, ସେମାନେ ସେଇ ହାତରେ ସ୍କୁଲରେ ରୋଷେଇ କରିବା ପାଇଁ ରାସ୍ତରୁ କାଠ ସଂଗ୍ରହ କରୁଥିବା ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟକୃଷ୍ଣ ଦେହେରୀ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ କାଠ ବୋହିବାର କଥା ବିଷୟରେ ମୁଁ ଜାଣିନାହିଁ । ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ଜୟନ୍ତୀ କାଲସେ ଛାତ୍ରଛାତୀମାନଙ୍କୁ କହି ଏହିକାମ କରାଇଛନ୍ତି ବୋଲି ସେ କହିଛନ୍ତି । ପ୍ରଧାନ ଶିକ୍ଷକ କହିଛନ୍ତି ଯେ, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ମୁଁ ଅଫିସ କାର୍ଯ୍ୟରେ ବ୍ୟସ୍ତ ଥିଲି । ଅନ୍ୟପକ୍ଷରେ ବିନିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଶିଭୂଷଣ ସେଠୀ କହିଛନ୍ତି, ଘଟଣାର ତଦନ୍ତ ହେଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।