ଶିକ୍ଷା ପାଇଁ ସଂଘର୍ଷର କାହାଣୀ । ରାସ୍ତା ପାଲଟିଛି ସ୍କୁଲ…ଜଙ୍ଗଲ ପାରିହେଲେ ମିଳୁଛି ଶିକ୍ଷା । ସରକାରଙ୍କୁ ପଚାରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ, ଗାଁରେ ଆସୁନି ନେଟୱାର୍କ, ଆମେ କେମିତି ପଢିବୁ ପାଠ ?

448

କନକ ବ୍ୟୁରୋ : ଆମେ ପାଠ ପଢିବୁ, ବଡ ମଣିଷ ହେବୁ । ପାଠ ପଢି ଦେଶର ନାଁ ରଖିବୁ । ସୁନେଲୀ ଭବିଷ୍ୟତର ଏକ ସୁନ୍ଦର ସ୍ୱପ୍ନ ଦେଖି ପାଠ ପଢିବା ପାଇଁ ଚାଲି ଚାଲି ଜଙ୍ଗଲ ପାରି ହେଉଛନ୍ତି ଶତାଧିକ ଛାତ୍ରଛାତ୍ରୀ । ଆଉ ଜଙ୍ଗଲ ମଝିର ରାସ୍ତା, ସେମାନଙ୍କ ପାଇଁ ସ୍କୁଲ ପାଲଟିଛି ।

ରାସ୍ତା ପାଲଟିଛି ସ୍କୁଲ । ଘଞ୍ଚ ଜଙ୍ଗଲ ପାରି ହେଲେ ମିଳୁଛି ଶିକ୍ଷା । ଗାଁରେ ଆସୁନି ନେଟୱର୍କ, ଆମେ କେମିତି ପଢିବୁ ପାଠ ? ଅପହଂଚ ଇଲାକାର ଘଟଣା ଭଳି ମନେ ହେଉଥିବା ଏହି ଘଟଣା ହେଉଛି, ଭଞ୍ଜନଗରର । ଭଞ୍ଜନଗରର ଦୁଇଟି ପଂଚାୟତ ବାଇବାଲି ଏବଂ ଇନ୍ଦ୍ରଗଡରେ ନେଟୱାର୍କ ନାହିଁ । ଆଉ ପାଠ ପଢିବା ପାଇଁ ପ୍ରତିଦିନ ଜଙ୍ଗଲିଆ ରାସ୍ତାରେ ୧୫ କିଲୋମିଟର ଚାଲି ଚାଲି ଯାଇ ଜଙ୍ଗଲ ମଝିରେ ଥିବା ଏକ ରାସ୍ତା ଉପରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

ଗରିବ ଗାଁର ଲୋକଟିଏ ମୋବାଇଲ୍ କିଣିବାକୁ ଟଙ୍କା ଆଣିବ ବା କେଉଁଠୁ । ଆଉ ସେଇଥିପାଇଁ ମାତ୍ର ୫ଟି ମୋବାଇଲରେ ପାଠ ପଢୁଛନ୍ତି ୨୫ ଜଣ ଛାତ୍ରଛାତ୍ରୀ । କରୋନା କଟକଣା ପାଇଁ ସ୍କୁଲ କଲେଜ ବନ୍ଦ ରହିଥିବାରୁ ଅନଲାଇନରେ ପାଠପଢା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ନେଟୱାର୍କର ଲୁଚକାଳି ଖେଳରେ ପାଠ ପଢିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ।

ପାଠପଢାରେ ଏଭଳି ଅସୁବିଧା ହେଉଥିବା ବେଳେ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି ଅଭିଭାବକ । ଆଉ ପ୍ରତିଦିନ ଜଙ୍ଗଲିଆ ରାସ୍ତା ଦେଇ ଯାଉଥିବାର ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ମଧ୍ୟ ରହିଛି ବିପଦ । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।