ଛାତ୍ରଛାତ୍ରୀଙ୍କ ବିପଦପୂର୍ଣ୍ଣ ନୌକାଯାତ୍ରା: ଡଙ୍ଗାରେ ନଦୀ ପାର ହେଲେ ସ୍କୁଲରେ ପହଞ୍ଚୁଛନ୍ତି ଛାତ୍ରଛାତ୍ରୀ

66

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ବିପଦପୂର୍ଣ୍ଣ ନୈକାଯାତ୍ରା । ପ୍ରତିଦିନ ସ୍କୁଲ ଯିବା ପାଇଁ ହେଲେ ଏଇଭଳି ଭାବେ ବିପଦପୂର୍ଣ୍ଣ ଯାତାୟତ କରନ୍ତି ଛାତ୍ରଛାତ୍ରୀ । କାରଣ ନଦୀ ଆରପଟେ ରହିଛି ସ୍କୁଲ । ଅନ୍ୟ ରାସ୍ତା ଦେଇ ସ୍କୁଲ ଯିବାକୁ ହେଲେ ୨୦ କିଲୋମିଟର ବାଟ ଯିବାକୁ ପଡିଥାଏ । ଡଙ୍ଗାରେ ପାର ହେଲେ ଖୁବ୍ କମ୍ ସମୟ ଲାଗିଥାଏ । ତେଣୁ ଏହି ଦଉଡି ସାହାଯ୍ୟରେ ଡଙ୍ଗାରେ ନଦୀ ପାର ହେଲେ ସ୍କୁଲରେ ପହଂଚିବେ ଛାତ୍ରଛାତ୍ରୀ । ବର୍ଷା ଦିନ ଆସିଲେ ପିତେଇ ନଦୀରେ ଜଳସ୍ତର ବୃଦ୍ଧିପାଇଥାଏ ଆଉ ସ୍କୁଲ ଯିବା ମଧ୍ୟ ସମ୍ଭବ ହୋଇନଥାଏ । କୋରାପୁଟ ବ୍ଲକ ଅନ୍ତର୍ଗତ ବଡଶୁକୁ ପଂଚାୟତ ଅଂଚଳର । ଦୈନ୍ୟନ୍ଦିନ କାମ ହେଉ କିମ୍ବା ବଜାର ଘାଟ ଯିବା ପାଇଁ ଲୋକେ ଏହି ଡଙ୍ଗାଘାଟ ଉପରେ ନିର୍ଭର କରନ୍ତି । ସବୁଠାରୁ ବଡ଼ କଥା ହେଉଛି ଗାଁ ଲୋକଙ୍କ ଧାନ ଓ ମାଣ୍ଡିଆ ଚାଷ ଜମି ନଦୀ ଆରପଟେ ରହିଛି ।

ତେଣୁ ଅଧିକାଂଶ ଚାଷୀ ନଦୀ ପାର ହୋଇ ଯାଆନ୍ତି । ଏପରିକି ହଳ କରିବା ପାଇଁ ବଳଦ ମାନଙ୍କୁ ମଧ୍ୟ ବିପଦପୂର୍ଣ୍ଣ ଭାବେ ନଦୀରେ ନେଇ ଯିବାକୁ ପଡିଥାଏ । ପଂଚାୟତ କାର୍ଯ୍ୟାଳୟକୁ ବାର୍ଦ୍ଧକ୍ୟ ଭତା ପାଇଁ ବୃଦ୍ଧ ବୃଦ୍ଧା ମାନେ ଏହି ଡଙ୍ଗା ଉପରେ ଭରସା କରନ୍ତି । ମେଡିକାଲ ସେବା ପାଇଁ ମଧ୍ୟ ଲୋକଙ୍କୁ ଏହି ଡଙ୍ଗାରେ ଯିବାକୁ ପଡିଥାଏ । ଡଙ୍ଗାଟିଏ ପାଇଁ ଲୋକେ ବାରମ୍ବାର ଦାବି କରୁଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ । ତେଣୁ ଗାଁ ଲୋକେ ବାଧ୍ୟ ହୋଇ ୫ହଜାର ଟଙ୍କା ଦେଇ ଭଡ଼ାରେ ଆଣିଛନ୍ତି ଡଙ୍ଗା । ଗ୍ରାମବାସୀଙ୍କ ମଧ୍ୟରେ ଚାନ୍ଦା ଆଦାୟ କରି ଭଡା ଦେଇଥାଆନ୍ତି । ଦୁଇ ବର୍ଷ ତଳୁ ଏହି ନଦୀରେ ପୋଲ ତିଆରି କାମ ଆରମ୍ଭ ହୋଇଛି । ହେଲେ ଏବେ ତାହା ଅସମ୍ପୁର୍ଣ୍ଣ ଭାବେ ପଡିରହିଛି । ଖୁବ୍ ଶିଘ୍ର ପୋଲ ନିର୍ମାଣ ସହ ଗାଟିଏରୁ ଦୁଇଟି ଡଙ୍ଗା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।