କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାନ୍ଥିଭଉଁରୀ ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା । ପିଲାଙ୍କ ପାଇଁ ହଷ୍ଟେଲ ସୁବିଧା ନଥିବାରୁ ଛାତ୍ରଛାତ୍ରୀ ସମେତ ଅଭିଭାବକ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ବଡ କଥା ହେଉଛି ହଷ୍ଟେଲ ନିର୍ମାଣ ପାଇଁ ଅର୍ଥମଞ୍ଜୁର ହୋଇ ଆସିଛି । ହେଲେ ହଷ୍ଟେଲ ନିର୍ମାଣ ହୋଇପାରୁ ନାହିଁ ।

Advertisment

ହଷ୍ଟେଲ ପାଇଁ ୭ କୋଟି ଟଙ୍କା ମଞ୍ଜୁର ହୋଇଛି, ଟେଣ୍ଡର ମଧ୍ୟ ସରିଛି । ବର୍ଷେ ହେଲାଣି କାମ ଆରମ୍ଭ ହୋଇପାରୁ ନାହିଁ । ତେଣୁ ମଞ୍ଜୁର ଅର୍ଥ ଫେରିଯିବାର ସମ୍ଭାବନା ବି ରହିଛି । ଅନ୍ୟପଟେ ହଷ୍ଟେଲ ନିର୍ମାଣ କାର୍ଯ୍ୟଭାର ନେଇଥିବା ପୂର୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ବନ ବିଭାଗକୁ ଦାୟୀ କରିଛନ୍ତି । ଛାତ୍ରାବାସ ପାଇଁ ଚିହ୍ନଟ ସ୍ଥାନରେ ଗଛ ଅଛି, ବନବିଭାଗ ଗଛ କାଟିବାକୁ ଅନୁମତି ଦେଉନଥିବାରୁ ନିର୍ମାଣ କାମ ଆରମ୍ଭ ହୋଇପାରୁ ନାହିଁ ।

ଏନେଇ ଜଳେଶ୍ୱର ରେଞ୍ଜରଙ୍କୁ ପଚରାଯିବାରୁ, ସେ କହିଛନ୍ତି ଛାତ୍ରାବାସ ନିର୍ମାଣ ପାଇଁ ଗଛ କାଟିବାକୁ ପୂର୍ତ ବିଭାଗ ପକ୍ଷରୁ କୌଣସି ଆବେଦନ କରାଯାଇ ନାହିଁ । ହଷ୍ଟେଲ ନିର୍ମାଣରେ ବିଳମ୍ବକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବନବିଭାଗ ଓ ପୂର୍ତ ବିଭାଗ ପରସ୍ପରକୁ ଦୋଷ ଲଦାଲଦି ହେଉଛନ୍ତି ।