ସ୍କୁଲ ଯିବେ କି ଛୋଟ ପିଲା? ଟିକା ନେଇ ନାହାନ୍ତି ଶିକ୍ଷକ । ଗଣଶିକ୍ଷାମନ୍ତ୍ରୀ କହିଲେ, ସ୍ୱାସ୍ଥ୍ୟବିଭାଗକୁ ଟିକାକରଣ ପାଇଁ କରାଯାଇଛି ଅନୁରୋଧ

328

କନକ ବ୍ୟୁରୋ: ଆସନ୍ତା ୨୬ ତାରିଖରେ ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ଏପଟେ ଛୋଟ ଛୋଟ ପିଲାଙ୍କ ଠାରେ ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଅଧିକ କ୍ଷମତା ଥିବାରୁ ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ପରାମର୍ଶ ଦେଇଛି ଆଇସିଏମଆର । ତେବେ କିପରି ସ୍କୁଲ ଖୋଲିବ, ଏ ନେଇ ଯେତିକି ପ୍ରସ୍ତୁତି ରହିବା କଥା, ସେପରି ଦେଖିବାକୁ ମିଳୁନି ।

ସବୁଠାରୁ ବଡ଼ କଥା ହେଲା ଶିକ୍ଷକ ଓ କର୍ମଚାରୀଙ୍କ ଟିକାକରଣ ଶେଷ ହୋଇନାହିଁ । ପ୍ରାଥମିକତା ଭିତିରେ ଟିକା ଦେବା ପାଇଁ ବିଭାଗୀୟ ସ୍ତରରେ ସେପରି କିଛି ପଦକ୍ଷେପ ନିଆଯାଇନି । ଶିକ୍ଷକଙ୍କ ଟିକାକରଣ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କହି ଦେଇ ହାତ ବାନ୍ଧି ବସି ପଡିଛି ଗଣଣିକ୍ଷା ବିଭାଗ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଶିକ୍ଷକଙ୍କ ଟିକାକରଣ ସାରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି । ଅନ୍ୟପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା ନାହିଁ । ଯେଉଁ ବର୍ଗର ଟିକାକରଣ ଚାଲିଛି, ସେଥିରେ ସେମାନେ ଅନ୍ତଭୁର୍କ୍ତ ହୋଇ ଟିକା ନେଇପାରିବେ ।

ସ୍କୁଲ ଖୋଲିବାକୁ ସରକାର ଯାଉଥିବା ବେଳେ ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ତାଳମେଳ ନଥିବା ଭଳି ଲାଗୁଛି । ଗୋଟିଏ ପଟେ ପିଲାଙ୍କ ସ୍ୱାସ୍ଥ୍ୟ ଓ ଅନ୍ୟପଟେ ସେମାନଙ୍କ ପାଠପଢ଼ା । ଏହାରି ଭିତରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲ ଆସିବା ଓ ହଷ୍ଟେଲରେ ରହିବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ । ଶିକ୍ଷକଙ୍କ ଟିକାକରଣ ସ୍କୁଲ ଖୋଲିବାରେ ବାଧକ ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି ସମୀର ରଂଜନ ଦାଶ ।

ପିଲାଙ୍କୁ ସ୍କୁଲ ଛାଡିବେ କି ନାହିଁ ଅଭିଭାବକଙ୍କ ଉପରେ ଛାଡିଛନ୍ତି ସରକାର । ତେବେ ଏ ନେଇ ଅଭିଭାବକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ଅଭିଭାବକ ସ୍କୁଲ ଖୋଲିବା ସପକ୍ଷରେ ଥିବା ବେଳେ କିଛି ଅଭିଭାବକ ସ୍କୁଲ ଖୋଲିବା ବିରୋଧରେ ମତ ଦେଇଛନ୍ତି ।