ଶକ୍ତ ବିଜୁଳୀ ଝଟକାରେ ହରାଇଥିଲେ ହାତଗୋଡ କିନ୍ତୁ ହାରିନଥିଲା ଆତ୍ମବିଶ୍ୱାସ : ଦଶମରେ ୮୧ % ଅଙ୍କ ରଖି ପାସ୍ କରିଥିବା ଶିବମ୍ କହୁଣୀରେ ଲେଖି ଦେଲେ ଦ୍ୱାଦଶ ପରୀକ୍ଷା

285

ଦୃଢ ଇଚ୍ଛାଶକ୍ତି, ମନୋବଳ ଆଗରେ ହାରମାନିଛି ପ୍ରତିବନ୍ଧକ । ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ଗୁଜୁରାଟର ବଡୋଦରାଠାରେ ରହୁଥିବା ଦ୍ୱାଦଶ ଶ୍ରେଣୀର ଛାତ୍ର ଶିବମ୍ ସୋଲାଙ୍କି । ଦୁର୍ଘଟଣାରେ ହାତ ଦୁଇଟି ହରାଇ ମଧ୍ୟ ସେ ଆଜି ଜଣେ ମେଧାବୀ ଛାତ୍ର । ଶକ୍ତ ବିଦ୍ୟୁତ୍ ଝଟକା ଲାଗିବା ଫଳରେ ଶିବମ୍ ନିଜର ଦୁଇଟି ହାତ ଓ ଗୋଡ ହରାଇବସିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ । ତଥାପି ସେ ହାର ମାନିନଥିଲେ । ସମସ୍ତଙ୍କ ଭଳି ପାଠ ପଢିବାର ଇଚ୍ଛାଶକ୍ତି ତାଙ୍କୁ ନୂତନ ବାଟ ଦେଖାଇଥିଲା । ହାତ ନଥାଇ ମଧ୍ୟ ନିଜ କହୁଣୀ ସହାୟତାରେ ଲେଖିପାରୁଛନ୍ତି । ଏପରିକି ଶିବମ ଦଶମ ପରୀକ୍ଷାରେ ମୋଟ ୮୧% ମାର୍କ ରଖି କୃତକାର୍ଯ୍ୟ ହୋଇଥିଲେ । ଏବେ ସେ ନିକଟରେ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି । ଭବିଷ୍ୟତରେ ଶିବମ୍ ଡାକ୍ତର ହେବାକୁ ଇଚ୍ଛା ରଖିଛନ୍ତି ।

ସୂଚନାନୁସାରେ, ଶିବମଙ୍କ ପିତା ମୁକେଶ ସୋଲାଙ୍କି ଓ ମାତା ହନସାବେନ୍ ବଡୋଦରା ମ୍ୟୁନିସିପାଲଟି କର୍ପୋରେସନରେ ସଫେଇ କର୍ମୀ ଭାବେ କାର୍ଯ୍ୟରତ । ଶିବମଙ୍କ ବାପା କୁହନ୍ତି, ସେ ସ୍କୁଲରୁ ଅନେକ ସାହାଯ୍ୟ ପାଇଛନ୍ତି । ଶିବମ ଆତ୍ମମନୋବଳ ଫଳରେ କହୁଣୀରେ ଲେଖିବା ପାଇଁ ନିଜକୁ ଯୋଗ୍ୟ ସାବ୍ୟସ୍ଥ କରିପାରିଛନ୍ତି । ସେହିଭଳି ଶିବମ୍ କୁହନ୍ତି, କହୁଣୀରେ ଲେଖିବା ପାଇଁ ସେ ତାଙ୍କ ମାଙ୍କ ଠାରୁ ପ୍ରେରଣା ପାଇଥିଲେ । ଶକ୍ତ ବିଦ୍ୟୁତ୍ ଝଟକା ଯୋଗୁଁ ମୁଁ ମୋ ଦୁଇଟି ହାତ ଓ ଗୋଡ ହରାଇଥିଲି । ଏହା ପରେ କହୁଣୀ ସହାୟତାରେ ଲେଖିବା ଆରମ୍ଭ କରିଥିଲି ।