କନକ ବ୍ୟୁରୋ: ‘ନିଟ୍’ ପରେ ‘ନେଟ୍’ ପରୀକ୍ଷାରେ ଅନିୟମିତତାକୁ ନେଇ ତାତିଛି ଛାତ୍ର କଂଗ୍ରେସ ସଙ୍ଗଠନ ଏନଏସୟୁଆଇ । ଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦ କରିବା ସହ ଶିକ୍ଷାମନ୍ତ୍ରୀ ଚୁପ୍ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି । ଏପଟେ ନିଟ୍ ପରୀକ୍ଷା ମାମଲାରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏସବୁ ଭିତରେ ନେଟ୍ ପରୀକ୍ଷାକୁ ରଦ୍ଧ କରାଯିବା ସହ ଅନିୟମିତତାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛି ଶିକ୍ଷାମନ୍ତ୍ରାଳୟ ।

Advertisment

ନିଟ୍୍ ପ୍ରଶ୍ନପତ୍ର ଲିକ୍୍ ଅଭିଯୋଗ ଘଟଣାକୁ ନେଇ ଭିତରେ ଭିତରେ କୁହୁଳୁଥିବା ଅସନ୍ତୋଷ, ଆହୁରି ବ୍ୟାପକ ରୂପ ନେଇଛି ଯେତେବେଳେ ୟୁଜିସି ନେଟ୍ ପରୀକ୍ଷା ଅନିୟମିତତା କାରଣରୁ ରଦ୍ଦ ହୋଇଛି । ଆଉ ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ ସଂଗଠନ-ଏନଏସୟୁଆଇ । କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ବାସଭବନ ଆଗରେ ଆନ୍ଦୋଳନ କରିଛନ୍ତି ଛାତ୍ର ସଂଗଠନର ଶହ ଶହ ସଦସ୍ୟ । ଶିକ୍ଷାମନ୍ତ୍ରୀଙ୍କୁ ଉତରଦାୟୀ କରିବା ସହ ପ୍ରଶ୍ନପତ୍ର ଲିକ୍ ଅଭିଯୋଗର ତଦନ୍ତ ଦାବି କରିଛନ୍ତି । ପରୀକ୍ଷାର ଆୟୋଜନ କରୁଥିବା ଏନ୍ଟିଏରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିବା ସହ ଶିକ୍ଷାମନ୍ତ୍ରୀ ଚୁପ୍ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ।

ନେଟ୍ ଏବଂ ନିଟ୍୍ ପ୍ରସଙ୍ଗକୁ ନେଇ ଏନଏସ୍ୟୁଆଇର ଜାତୀୟ ସଭାପତି ବରୁଣ ଚୌଧୁରୀଙ୍କ ନେତୃତ୍ୱରେ ଛାତ୍ରମାନେ ଶିକ୍ଷାମନ୍ତ୍ରୀଙ୍କ ଘର ଆଗରେ ରୁଣ୍ଡ ହୋଇଥିଲେ । ପରେ ପ୍ରବେଶିକା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ବ୍ୟାନ୍ କରିବାକୁ ଦାବି କରିଥିଲେ । ସାଥୀରେ ନେଇ ଆସିଥିବା ନକଲି ୫୦୦ ଟଙ୍କିଆ ନୋଟ୍ ଉଡ଼ାଇ ପ୍ରତିବାଦ କରିଥିଲେ । ପରବର୍ତୀ ସମୟରେ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୁଲିସ ।

ଏପଟେ ନିଟ୍ ପରୀକ୍ଷା ମାମଲାରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପରୀକ୍ଷାରେ ହେଉଥିବା ଅନିୟମିତତା ଅଟକାଇ ପାରୁନାହାଁନ୍ତି ନା’ ଅଟକାଇବାକୁ ଚାହୁଁ ନାହାଁନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ରାହୁଲ । ମୋଦୀଙ୍କ ୫୬ ଇଂଚର ଛାତି ଏବେ କଣ ୩୦-୩୨ ଇଂଚର ହୋଇଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି ।

କଂଗ୍ରେସର ଘନଘନ ଆକ୍ରମଣ ଭିତରେ ନିଟ୍ ଓ ନେଟ୍ ପରୀକ୍ଷା ନେଇ ହୋଇଥିବା ନିଷ୍ପତି ଉପରେ ସଫେଇ ରଖିଛି ଶିକ୍ଷାମନ୍ତ୍ରାଳୟ । ନେଟ୍ ପରୀକ୍ଷାକୁ ରଦ୍ଧ କରାଯିବା ସହ ଅନିୟମିତତାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବିଭାଗୀୟ ସଚିବ ।

ଆଉ ଏହାରି ଭିତରେ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ତେଜସ୍ୱୀ ଯାଦବଙ୍କ ବ୍ୟକ୍ତିଗତ ସଚିବଙ୍କ ହାତ ଅଛି ବୋଲି ଅଭିଯୋଗ କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା । ତେବେ ନିଟ୍ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଘଟଣାକୁ ନେଇ ବିବାଦ ଥମି ନଥିବା ବେଳେ ଅନିୟମିତତା କାରଣରୁ ୟୁଜିସି-ନେଟ୍ ପରୀକ୍ଷା ବାତିଲ କରାଯାଇଛି । ଯାହାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି ।