ଛାତ୍ରସଂସଦ ନିର୍ବାଚନରେ ବାଜି ମାରିନେଲା ଛାତ୍ର ବିଜେଡି ! ବଦଳୁଛି କି ରାଜ୍ୟ ରାଜନୀତିର ମୁଡ୍? ଯୁବ ସମାଜର ଭୋଟ, କଣ ଦେଉଛି ସଂକେତ?

66

କନକ ବ୍ୟୁରୋ : ପ୍ରକାଶ ପାଇଛି ଛାତ୍ର ସଂସଦ ନିର୍ବାଚନର ଫଳାଫଳ । କାହାର କେତେ ଦମ୍, କଲେଜ କ୍ୟାମ୍ପସରୁ ଆସିଛି ବାର୍ତ୍ତା । ଛାତ୍ର ସଂସଦ ନିର୍ବାଚନ ଫଳାଫଳ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ୯୫ ପ୍ରତିଶତ କଲେଜରେ  ବିଜେଡି ସମର୍ଥିତ ଛାତ୍ରନେତା ବାଜିମାତ କରିଥିବା ଦାବି କରିଛି । ଏପଟେ କଂଗ୍ରେସ ଓ ବିଜେପି ତାଙ୍କ ଦଳର ସମର୍ଥିତ ଛାତ୍ରନେତାମାନେ କେତେ ପ୍ରତିଶତ ଜିତିଛନ୍ତି ବର୍ତ୍ତମାନ ସୁଦ୍ଧା ଦାବି କରିନଥିଲେ ସୁଦ୍ଧା, ରାଜ୍ୟର ଅଧିକାଂଶ କଲେଜରେ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ବିଜୟୀ ହୋଇଥିବା ଜଣାପଡ଼ିଛି । ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବାଣବାଜା ଭିତରେ ସେଲିବ୍ରେସନ୍ କରିଛନ୍ତି ଛାତ୍ରଛାତ୍ରୀ ।

vlcsnap-2017-09-23-18h53m48s781ଛାତ୍ର ସଂସଦ ନିର୍ବାଚନରେ ସବୁବେଳ ଦୃଷ୍ଟି ଆକର୍ଷଣ କରୁଥିବା ବାଣୀବିହାର ଏବଂ ବିଜେବିରେ ନିର୍ବାଚନ ବାତିଲ୍ ପରେ ସମସ୍ତଙ୍କ ନଜର ଥିଲା ରମାଦେବୀ ବିଶ୍ୱବିଦ୍ୟାଳୟ ଉପରେ । ଏଥିରେ ଛାତ୍ର ବିଜେଡି ପ୍ରାର୍ଥୀ ବାଜି ମାରିନେଇଛନ୍ତି । ସଭାପତି ଭାବେ ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ ନିର୍ବାଚିତ ହୋଇଛନ୍ତି । ସେହିପରି ଦେବରାୟ କଲେଜ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବିଜେଡି ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଗଞ୍ଜାମ ହିଞ୍ଜିଳିକାଟୁ, ଭଦ୍ରକ ଚରମ୍ପା କଲେଜ୍,କେନ୍ଦୁଝର ମହିଳା କଲେଜରେ ବିଜେଡି ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବଲାଙ୍ଗିର ରାଜେନ୍ଦ୍ର କଲେଜରେ ଛାତ୍ର ବିଜେଡି ପ୍ରାର୍ଥୀ ସଭାପତି ପଦରେ ବିଜୟୀ ହୋଇଛନ୍ତି ।

RAJDHANI COLLEGEଧର୍ମଶାଳାରେ ମଧ୍ୟ ଛାତ୍ର ବିଜେଡି ସମର୍ଥିତ ସଭାପତି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କଟକ ଖ୍ରୀଷ୍ଟ କଲେଜରେ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଯାଜପୁରରେ ମଧ୍ୟ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ଶୈଳବାଳା କଲେଜ, ସିଟି କଲେଜ, ଇମର୍ତି ଦେବୀ କଲେଜରେ ଛାତ୍ର ବିଜେଡି ନିଜର ଦବଦବା ଜାହିର୍ କରିଛି ।

ଅନ୍ୟପଟେ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଶନିବାର ନୂଆ ରେକର୍ଡ ଦେଖିବାକୁ ମିଳିଛି । ଛାତ୍ର ସଂସଦ ନିର୍ବାଚନ ୨୦୧୭ରେ  ସଭାପତି ଭାବେ ଶିବାନୀ ପାତ୍ର ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ ୧୯୭୫-୭୭ରେ ପିଏନ୍‌ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଥିଲା। ସେହି ସମୟରେ କଲେଜରେ ଅଧିକ ନମ୍ବର ରଖିଥିବା ଜଣେ ଛାତ୍ରୀଙ୍କୁ ସଭାପତି ପଦ ପାଇଁ ମନୋନୀତ କରାଯାଇଥିଲା।

vlcsnap-2017-09-23-18h53m35s188ଆଜି ରାଜ୍ୟର ବିଭିନ୍ନ କଲେଜରେ ସକାଳ ୮ଟାରୁ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅପରାହ୍ନ ୨ଟାରେ ମତଦାନ ଶେଷ ହୋଇଥିଲା। ଚଳିତ ବର୍ଷ ମୋଟ ୩୭୫ଟି କଲେଜରେ ନିର୍ବାଚନ କରାଯାଇଛି । ଉଲ୍ଲେଖ ଯୋଗ୍ୟ, ଚଳିତବର୍ଷ ପ୍ରାକ୍‌ ନିର୍ବାଚନ ହିଂସା ଯୋଗୁଁ ବାଣୀବିହାର, ବିଜେବି, ମଧୁସୂଦନ ଲ’ କଲେଜ ଓ ଢେଙ୍କନାଳ କାମାକ୍ଷାନଗର କଲେଜ ଭଳି ୧୨ଟି କଲେଜରେ ନିର୍ବାଚନ ବାତିଲ କରାଯାଇଛି ।

ଟଙ୍କା ନିଅ, ଭୋଟ୍ ଦିଅ ! ଛାତ୍ର ନିର୍ବାଚନର ବିକଳ ରୂପ

କିଏ ବାଜି ମାରିଲା, କିଏ ମାତ୍ ଖାଇଲା, ଏସବୁର ହିସାବ ଭିତରେ ଛାତ୍ର ସଂସଦ ନିର୍ବାଚନର କିଛି ବିକଳ ଚିତ୍ର ଆଜି କନକ ନ୍ୟୁଜ୍ କ୍ୟାମେରାରେ କଏଦ ହୋଇଛି । ଭୋଟ୍ ରାଜନୀତିରେ ବିଜୟୀ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଛାତ୍ରନେତା କେଉଁ ସ୍ତରକୁ ଯାଇପାରନ୍ତି, ତାର ବାସ୍ତବ ରୁପ ସାମ୍ନାକୁ ଆସିଛି । ଯେଉଁଠି ମିଠା ଓ ଚକଲେଟ୍ ବଂଟା ଯାଇଛି, ତ ଆଉ କେଉଁଟି ଖୋଲାଖୋଲି ଟଙ୍କା ଜଚା ଯାଇଛି ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ : ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠିିତ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ କଏଦ୍ ହୋଇଛି ଛାତ୍ର ରାଜନୀତିର ଏକ କଳଙ୍କିତ ଦୃଶ୍ୟ । ଯେଉଁଥିରେ ଭୋଟ୍ ହାତେଇବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଛାତ୍ରୀମାନେ ଭୋଟରଙ୍କୁ ଲାଂଚ ଦେଉଛନ୍ତି । ଫୁଲତୋଡ଼ା ଏବଂ ଲାଇବ୍ରେରୀ କାର୍ଡ ତଳେ ଚାଲୁଛି ଟଙ୍କା କାରବାର । କନକନ୍ୟୁଜ୍ କ୍ୟାମେରାରେ କଏଦ ହୋଇଛି ଛାତ୍ରରାଜନୀତିର ଏଭଳି କିଛି ଅଭାବନୀୟ ଚିତ୍ର ।

ରାଜଧାନୀ ମହାବିଦ୍ୟାଳୟ : ଭୋଟ୍ ପାଇଁ ଲାଂଚ ଦେବା ଭଳି କୁତ୍ସିତ ପରମ୍ପରା ଆପେଣାଇବାରେ ପଛରେ ପଡ଼ିନି ଭୁବନେଶ୍ୱରର ରାଜଧାନୀ ମହାବିଦ୍ୟାଳୟ । ଛାତ୍ର ସଂସଦ ନିର୍ବାଚନରେ ଭୋଟ୍ ଦେବା ପାଇଁ ଆସୁଥିବା ବେଳେ ଛାତ୍ରଛାତ୍ରୀଙ୍କୁ ମିଳିଛି ମିଠାର ଉପହାର । ଆଉ ମନଲାଖି ଚକୋଲେଟ୍ ଓ ଖାଦ୍ୟପେୟ ବାଂଟି ସମର୍ଥନ ଜିତିବାକୁ ଚେଷ୍ଟା କରିଛନ୍ତି ଛାତ୍ରନେତା ।

କେନ୍ଦ୍ରାପଡ଼ା : ଆଉ ଏସବୁ ଭିତରେ କେନ୍ଦ୍ରାପଡ଼ାର ଚିତ୍ର ଦେଖିଲେ, ଛାତ୍ର ସଂସଦ ନିର୍ବାଚନର ବିକଳ ଚିତ୍ର ଜଳଜଳ ହୋଇ ଦେଖାଯିବ । ଦେଖନ୍ତୁ କେନ୍ଦ୍ରାପଡ଼ାର ବିଭିନ୍ନ କଲେଜରେ ଭୋଟ୍ ପାଇଁ ସହପାଠୀଙ୍କ ଆଗରେ ଆଂଠେଇବା ପାଇଁ ବି ପଛ ଘୁଂଚା ଦେଉ ନାହାଁନ୍ତି ଆମ ଛାତ୍ର ନେତା । ଚାନ୍ଦୋଳର ହୃଦାନନ୍ଦ ସ୍ମାରକୀ ମହାବିଦ୍ୟାଳୟ ଏବଂ ତୁଳସୀ ମହିଳା ମହାବିଦ୍ୟାଳୟର ଏହି ଦୁଇଟି ଚିତ୍ର ଛାତ୍ର ରାଜନୀତିର ବାସ୍ତବ ଆଭିମୁଖ୍ୟ ଉପରେ ପ୍ରଶ୍ନଛିଡ଼ା କରିଛି ।

ପ୍ରଶ୍ନ ଉଠୁଛି-
-ନିୟମ ଭାଙ୍ଗି ଛାତ୍ର ନେତା ହେଲେ କେମିତି ହେବେ ଜନ ପ୍ରତିନିଧି ?
-ଭବିଷ୍ୟତରେ ଯଦି ଏମାନେ ଲୋକଙ୍କ ପ୍ରତିନିଧି ସାଜିବେ, କ’ଣ ହେବ ତାଙ୍କ ଆଭିମୁଖ୍ୟ ?
– ପ୍ରତ୍ୟକ୍ଷ ରାଜନୀତି ଦ୍ୱାରା ପ୍ରଭାବିତ ହେଉଛି ଛାତ୍ର ରାଜନୀତି ?