ଉତ୍ତରପ୍ରଦେଶ ଗାଜିଆବାଦରେ ଚାଞ୍ଚଲ୍ୟ । ଶିକ୍ଷକ ଗାଳି କରିବାରୁ ତାଙ୍କ ଉପରକୁ ଗୁଳି ଚଳାଇଦେଲା ଛାତ୍ର

470

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଗାଜିଆବାଦରୁ ଆସିଛି ଚକିତ କରିଦେବା ଭଳି ଖବର । ସ୍କୁଲ ବାହାରେ ଜଣେ ଶିକ୍ଷକଙ୍କୁ ଗୁଳିକରି ଫେରାର୍ ହୋଇଯାଇଛି ଛାତ୍ର ଜଣଙ୍କ । ଶିକ୍ଷକ ଜଣକ ଆହତ ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଶିକ୍ଷକଙ୍କ ଅଭିଯୋଗ ପରେ ପୋଳିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ ଘଟଣାଟି ଗାଜିଆବାଦ ସ୍ଥିତ ମୁରାଦନଗର ଅଞ୍ଚଳର । କୁହାଯାଉଛି କି ଜଣେ ଛାତ୍ର ଶିକ୍ଷକଙ୍କ ଗାଳି ପରେ ପ୍ରତିକ୍ରିୟଶୀଳ ହୋଇପଡିଥିଲେ । ଏହାପରେ ଛାତ୍ର ଜଣଙ୍କ ତା’ର ୩ ଜଣ ସହଯୋଗୀଙ୍କ ସହ ସ୍କୁଲ ବାହାରେ ଶିକ୍ଷକଙ୍କୁ ଅପେକ୍ଷା କରିଥିଲେ । ଶିକ୍ଷକ ଜଣଙ୍କ ଯେତେବେଳେ ବାହାରକୁ ଆସିଲେ ଛାତ୍ର ଜଣଙ୍କ ତାଙ୍କ ଉପରକୁ ଗୁଳି ଚଳାଇଥିଲା । ସୌଭାଗ୍ୟବସତ ଗୁଳି ଶିକ୍ଷକଙ୍କ ପାଖ ଦେଇ ଚାଲିଯାଇଥିଲା । ହେଲେ ଏଥିରେ ଶିକ୍ଷକ ଜଣଙ୍କ  ଆହତ ହୋଇଛନ୍ତି । ଗୁଳି ଚଳାଇବା ପରେ ଛାତ୍ର ଜଣଙ୍କ ସେଠାରୁ ଫେରାର୍ ହୋଇଯାଇଛି   । ଏହି ଘଟଣାର ପୁରା ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ ଏବେ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି    ।

କହିରଖୁ କି ଆହତ ହୋଇଥିବା ଶିକ୍ଷକ ଜଣଙ୍କ ହେଉଛନ୍ତି ସଚିନ ତ୍ୟାଗି ରାଧେଶ୍ୟାମ । ସେ ସରସ୍ୱତୀ ବିହାର କଲୋନିରେ ଥିବା କୃଷ୍ଣା ବିଦ୍ୟାମନ୍ଦିରରେ କମର୍ସ ପଢାଉଛନ୍ତି । ତାଙ୍କ କହିବା ମୁତାବକ ଗୁଳି ଚଳାଇଥିବା ଛାତ୍ର ଜଣଙ୍କ କ୍ଲାସ ଭିତରେ ପିଲାମାନଙ୍କ ସହ ଅସଭ୍ୟ ଭାଷାରେ କଥା ହେଉଥିଲା । ଏହାକୁ ନେଇ ସେ ଗାଳି କରିବା ପରେ ପ୍ରତିକ୍ରିୟଶୀଳ ହୋଇ ଛାତ୍ର ଜଣଙ୍କ ଏଭଳି କରିଛି ।

ଅନ୍ୟପଟେ ପୋଲିସର ସୂଚନା ମୁତାବକ ଗୁଳିମାଡରେ ସଂପୃକ୍ତ ଥିବା ୩ ଜଣ ଛାତ୍ର ଗୋଟିଏ ଗ୍ରାମର । ସେମାନଙ୍କ ପରିବାର ଲୋକଙ୍କ ପୋଲିସ ହେପାଜତକୁ ନେଇ ପଚରା ଉଚରା କରୁଛି । ସ୍ଥାନୀୟ ଏସପି (ଗ୍ରାମୀଣ) ଧିରଜ ରାଜା କହିଛନ୍ତି କି ଶିକ୍ଷକଙ୍କ ଅଭିଯୋଗ ପରେ ସଂପୃକ୍ତ ଛାତ୍ର ମାନଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି ।