ମୋଦିଙ୍କ ସଭାସ୍ଥଳ ନିକଟରେ ପକୁଡି ବିକ୍ରି କରୁଥିଲେ ଡିଗ୍ରଧାରୀ ଛାତ୍ରଛାତ୍ରୀ । ଉଠାଇନେଲା ପୋଲିିସ ।

565

ହାତରେ ପକୁଡି, ମୁଣ୍ଡରେ ଗ୍ରାଜୁଏଟ ଟୋପି । ଚାରିପଟକୁ ଘେରି ରହିଛନ୍ତି ପୋଲିସ । ଗତକାଲି ଚଣ୍ଡିଗଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲିସ୍ଥଳ ନିକଟରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିଏ ବିଏ ଡିଗ୍ରଧାରୀ ତ ପୁଣି କିଏ ଏଲଏଲବି ପାସ୍ ଆଉଟ । କିନ୍ତୁ ମୋଦିଙ୍କ ରାଲିସ୍ଥଳ ନିକଟରେ ପକୁଡି ବିକ୍ରି କରୁଥିବା ଏହି ଛାତ୍ରଛାତ୍ରୀ ମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଛାତ୍ରଛାତ୍ରୀ ମାନେ ବିରୋଧ ପ୍ରଦର୍ଶନ କରିବାକୁ ଏଭଳି ଫଣ୍ଡା ଆପଣାଇଥିଲେ ।

ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ଚଣ୍ଡିଗଡରେ ପ୍ରଚାର କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ କରିଥିଲେ ମୋଦି । ଏସବୁ ଭିତରେ ମୋଦିଙ୍କ ରାଲିସ୍ଥଳରେ ପକୁଡି ବିକୁଥିବା ୧୨ ଜଣ ଛାତ୍ରଙ୍କୁ ଉଠାଇ ନେଇଥିଲା ଚଣ୍ଡିଗଡ ପୋଲିସ । ତେବେ ମୋଦିଙ୍କ ରାଲି ସରିବା ପରେ ଏହି ଛାତ୍ରମାନଙ୍କୁ ଛାଡିଥିଲା ପୋଲିସ । ଥାନାଅଧିକାରୀଙ୍କ କହିବା ଅନୁଯାୟୀ, ଆଗୁଆ ପଦକ୍ଷେପ ସ୍ୱରୂପ ଏହି ଛାତ୍ର ମାନଙ୍କୁ ଥାନାକୁ ଅଣାଯାଇଥିଲା ।

ଏହି ୧୨ ଛାତ୍ର ମୋଦିଙ୍କ ରାଲିସ୍ଥଳ ପାଖାପାଖି ମୋଦି ଓ ନିଜ ନିଜ ଡିଗ୍ରୀର ନାମ ସହ ପକୁଡି ବିକ୍ରି କରୁଥିଲେ । ପକୁଡି ବିକ୍ରି କରୁଥିବା ଛାତ୍ର ମାନଙ୍କ କହିବା ଅନୁଯାୟୀ, ପକୁଡି ଯୋଜନାରେ ନୂଆ ରୋଜଗାର ଦେଇଥିବାରୁ ମୋଦିଙ୍କୁ ସ୍ୱାଗତ କରିବାକୁ ଆସିଥିଲୁ । ଜଣେ ଶିକ୍ଷିତ ଯୁବକ ପକୁଡି ବିକ୍ରି କରିବା କେତେ ମହାନ ତାହା ଦର୍ଶାଇବା ପାଇଁ ଆମେ ପକୁଡି ବିକ୍ରି କରୁଥିଲୁ ।

ଏହାପୂର୍ବରୁ ଗତ ବର୍ଷ ଜାନୁଆରୀ ମାସରେ ନିଯୁକ୍ତି ଓ ରୋଜଗାରର ପ୍ରଶ୍ନ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ପକୁଡି ବିକ୍ରି କରି ମଧ୍ୟ ଜଣେ ଦିନକୁ ୨୦୦ ଟଙ୍କା ରୋଜଗାର କରିପାରିବ । ମୋଦିଙ୍କ ଏହି ବୟାନକୁ ନେଇ ବିରୋଧୀ କଡା ସମାଲୋଚନା କରିଥିଲେ ।