‘ମାଆ ଭୁଆସୁଣୀଙ୍କୁ ଭୋଗ ନଦେଲେ ପାହାଡରୁ ଫେରିବା ଭାରି ମୁସ୍କିଲ…’ । ଉଦ୍ଧାର ପରେ ଛାତ୍ର କହିଲେ ସପ୍ତଶଯ୍ୟା ଜଙ୍ଗଲର ଲୋମଟାଙ୍କୁରା କାହାଣୀ । ରହସ୍ୟମୟ ଭୁଆସୁଣୀ ଖାଲ…

2,112

କନକ ବ୍ୟୁରୋ: ସପ୍ତଶଯ୍ୟା ଜଙ୍ଗଲର ଲୋମଟାଙ୍କୁରା କାହାଣୀ । ୫ ଛାତ୍ର ବାଟ ଭୁଲିଥିଲେ ନା କିଏ ଅବାଟରେ ଟାଣି ନେଉଥିଲା ? ଉଦ୍ଧାର ପରେ ଯୁବକ କହିଲେ ଅନ୍ଧାରୀ ରାତିର ସତ । ‘ଫୋନ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା, ଧଳାରଙ୍ଗର କଣ ଗୋଟେ ଆଗରେ ଯାଉଥିଲା, ଯୁଆଡେ ଗଲେ ବି ସେହି ଖାଲକୁ କିଏ ଟାଣିଆଣୁଥିଲା । ଯୁବକଙ୍କ ବୟାନ ପରେ ଭୁଆସୁଣୀ ଖାଲର ରହସ୍ୟକୁ ନେଇ ଉଠିଲା ପ୍ରଶ୍ନ । ସପ୍ତଶଯ୍ୟା ଜଙ୍ଗଲର ଡେଡ୍ ପଏଣ୍ଟ କେଉଁଠି ?

ରବିବାର ରାତିରେ ବାଟଭୁଲିଥିଲେ ଆଉ ଅଧ ରାତିରେ ଜଙ୍ଗଲ ଭିତରୁ ଉଦ୍ଧାର ହୋଇ ସୋମବାର ସକାଳେ ନିଖୋଜ ହେବାର କାରଣ କହିଲେ । ଢେଙ୍କାନାଳ ସପ୍ତଶଯ୍ୟା ପାହାଡ ବୁଲିବାକୁ ଯାଇ ନିଖୋଜ ହୋଇଥିବା ୫ ଜଣ ଛାତ୍ର ଉଦ୍ଧାର ହେବା ଖବର ତ ହେଡଲାଇନ ପାଲଟିଛି ହେଲେ ଉଦ୍ଧାର ହୋଇଥିବା ୫ ଛାତ୍ରଙ୍କ ମଧ୍ୟରୁ ଶୁଭମ ମହାପାତ୍ରଙ୍କ ବୟାନ ଜଙ୍ଗଲୀ କାହାଣୀକୁ ଅଧିକ ରୋଚକ କରିଛି । ଆଉ ସପ୍ତଶଯ୍ୟା ପାହାଡରେ ଥିବା ଭୁଆସୁଣୀ ଖାଲକୁ ନେଇ ରହସ୍ୟ ବଢିଯାଇଛି ତା ସହ ସିନେମା ‘ମଞ୍ଜୁମେଲ୍ ବଏଜ’ର କାହାଣୀ ମନେପଡିଯାଇଛି ।

-ଘନ ଅନ୍ଧାରକୁ, ଘଞ୍ଚ ଜଙ୍ଗଲ
-ଚିତ୍କାର କରି ଡାକୁଥିଲେ, ହେଲେ କେହି ଶୁଣୁ ନଥିଲେ
-ପାହାଡ ଯେତେ ଚଢୁଥିଲେ ପୁଣି ସେହି ଖାଲକୁ ଫେରୁଥିଲେ

କଟକ ଲିଙ୍କରୋଡ ଅଞ୍ଚଳରୁ ବୁଲିବାକୁ ଆସିଥିବା ୫ ଛାତ୍ର ସପ୍ତଶଯ୍ୟାରେ ଥିବା ବିଷ୍ଣୁ ବାବାଙ୍କ ଆଶ୍ରମର ବହୁ ଉପରକୁ ଚଢିଯାଇଥିଲେ । ଆଉ ବର୍ଷା ହେବାରୁ ତଳକୁ ଫେରିପାରିନଥିଲେ । ଫେରୁଫେରୁ ସନ୍ଧ୍ୟା ମାଡି ଆସିବାରୁ ଜଙ୍ଗଲରେ ବାଟ ଭୁଲିଯାଇଥିଲେ । ବାଟବଣା ହେବା ପରେ ଘରକୁ ଫୋନ ସହ ପୋଲିସକୁ ଫୋନ କରିବାକୁ ଉଦ୍ୟମ କରୁଥିଲେ ହେଁ ନେଟୱର୍କ ନଥିବା କାରଣରୁ କାହା ସହ ଯୋଗାଯୋଗ ହୋଇ ପାରୁନଥିଲା । ସେପଟେ ଜଣଙ୍କ ପରେ ଜଣଙ୍କ ଫୋନ୍ ସ୍ୱିଚ୍ ଅଫ୍ ହେଇଯାଉଥିଲା । ଶେଷରେ ଫୋନ୍ ଲାଗିବା ପରେ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ ଓ ବନ ବିଭାଗ ।

ମାତ୍ର ଉଦ୍ଧାର ପୂର୍ବରୁ କେମିତି ଥିଲା ଅନ୍ଧାରୀ ଜଙ୍ଗଲର ଲୋମଟାଙ୍କୁରା କାହାଣୀ ତାହା କହିଛନ୍ତି ଶୁଭମ । “ଫସିଥିବା ସ୍ଥାନରୁ ସାଙ୍ଗମାନେ ଯେତେ ବାହାରିବାକୁ ଚେଷ୍ଟା କରୁଥିଲେ ସେମାନେ ପୁଣି ସେହି ସମାନ ସ୍ଥାନରେ ପହଞ୍ଚିଯାଉଥିଲେ । ଏମିତି ଲାଗୁଥିଲା ସେମାନଙ୍କୁ ସତେକି କିଏ ସେହି ଖାଲକୁ ଟାଣୁଛି । ଶୁଭମଙ୍କ କହିବା କଥା ମାଆ ଭୁଆସୁଣୀଙ୍କୁ ଭୋଗ ନଦେଲେ ସେଠୁ ଫେରିବା କାଳେ ମୁସ୍କିଲ । ଆଉ ସେମାନେ ସାଥିରେ ଭୋଗ ନେଇ ନଥିଲେ । ଅନ୍ଧାର ରାତିରେ ସେମାନେ ଜଙ୍ଗଲରେ ଏକ ଧଳା ରଙ୍ଗର କଣ ଆଗରେ ଯାଉଥିବା ଅନୁଭବ କରିଥିଲେ । ବିରାଟ ଗୁମ୍ଫା, ବିରାଟ ସାପ ବି ଦେଖିଥିଲେ । ଉଦ୍ଧାର କରିବାକୁ ଯେତେ ଚିକ୍ରାର କରୁଥିଲେ ବି ସେମାନଙ୍କ ସ୍ୱର କାହା ପାଖେ ପହଞ୍ଚି ପାରୁନଥିଲା । ସପ୍ତଶଯ୍ୟାର ସେ ସ୍ଥାନ ସବୁଠୁ ଭୟଙ୍କର ବୋଲି ଅନ୍ଧାରୀ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଶୁଭମ କହିଛନ୍ତି ।

ସପ୍ତଶଯ୍ୟାର ଏ କାହାଣୀ ଆପଣଙ୍କୁ ରହସ୍ୟମୟ ଲାଗିପାରେ । ଏହାର ସତ୍ୟତା କଣ ତାହା କେହି ବି ଜାଣି ନାହାନ୍ତି ମାତ୍ର ଏହା ନିଖୋଜ ରାତିର ଶୁଭମଙ୍କ ଅନୁଭୁତି ଉପରେ ଆଧାରିତ । ତେଣୁ କୌଣସି ବି ଜଙ୍ଗଲ କିମ୍ବା ପାହାଡ ବୁଲିବାକୁ ଯିବା ବେଳେ ସତର୍କତା ଅବଲମ୍ବନ କରିବା ସହ ଜଙ୍ଗଲ ବାବଦରେ ଜାଣିକି ଯାଆନ୍ତୁ ।