ଏମିତି ଆମ ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଶ୍ରେଣୀଗୃହ ଯୋଗୁଁ ଇନ୍ଦିରାଆବାସରେ ଚାଲିଛି ପାଠପଢା, ଜିଲ୍ଲା ପ୍ରଶାସନ କହିଲା ସେମିତି କିଛି ଖବର ଆସିନି

18

କନକ ବ୍ୟୁରୋ : ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଏକରକମ ଭୁଷୁଡିପଡିଛି । ଏଥିପାଇଁ ବାରମ୍ବାର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଏହାପରେ ମଧ୍ୟ ବଦଳିନି ରାଜ୍ୟର ଶିକ୍ଷା ବ୍ୟବସ୍ଥା । ସର୍ବଶିକ୍ଷା ଅଭିଯାନ ବାଟବଣା ହୋଇଛି । ଏବେ ମଧ୍ୟ ବିପଦସଂଙ୍କୁଳ ଅବସ୍ଥାରେ ଚାଲୁଛି ସ୍କୁଲ ଘର । ଆଉ ଏ ବାବଦରେ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ବି କେହି ବି ଶୁଣୁନାହାନ୍ତି । ଶେଷରେ ଘର ଭୁଶୁଡିବା ଭୟରେ ଅଭିଭାବକମାନେ ଗାଁର ଏକ ଇନ୍ଦିରାଆବାସ ଘରେ ବର୍ତମାନ ପିଲାମାନଙ୍କ ପାଠ ପଢିବା ବ୍ୟବସ୍ଥା କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେସିଙ୍ଗା ବ୍ଲକରେ ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଲଟ୍କବାହାଲି ଗ୍ରାମରେ ଥିବା ସ୍କୁଲରେ ପାଠ ପଢିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ । ଶ୍ରେଣୀଗୃହର ଛାତରେ ଫାଟ ସୃଷ୍ଟି ହୋଇଥିବାରୁ ଅଭିଭାବକ ମାନେ ମଧ୍ୟ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ନାରାଜ । ଯେପରି ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ନହେବ ସେଥିପାଇଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ଇନ୍ଦିରାଆବାସ ଘରକୁ ସ୍କୁଲ ଭାବରେ ବ୍ୟବହାର କରାଯାଉଛି ।

ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଯାଏଁ ଶ୍ରେଣୀ ଯାଏଁ ୨୩୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ମାତ୍ର ସ୍କୁଲ ବିପଦସଂଙ୍କୁଳ ଅବସ୍ଥାରେ ଥିବାରୁ ପ୍ରଥମରୁ ପଂଚମ ଶ୍ରେଣୀର ୧୭୩ ଜଣ ଛାତ୍ରଛାତ୍ରୀ ଏହି ଘରେ ପାଠ ପଡୁଛନ୍ତି ।ସ୍କୁଲର ଦୁରବସ୍ଥା ନେଇ ଗ୍ରାମବାସୀ ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ଜଣାଇସାରିଲେଣି । ଶିକ୍ଷା ବିଭାଗ ବି ଏହି ବିଦ୍ୟାଳୟକୁ ବିପଦ ସଂଙ୍କୁଳ ବୋଲି ଘୋଷଣା କରିଛି । କିନ୍ତୁ ପିଲାଙ୍କ ପାଠପଢାପାଇଁ ବ୍ୟବସ୍ଥା କରିନାହିଁ ଶିକ୍ଷା ବିଭାଗ । ଏପଟେ ଜିଲ୍ଲା ପ୍ରଶାସନ କହିଛି ଏ ବାବଦରେ ତାଙ୍କ ପାଖକୁ କୌଣସି ଖବର ଆସିନି ।