କନକ ବ୍ୟୁରୋ: ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ, ଛାତ୍ର ସଂସଦ ନିର୍ବାଚନରୁ ଭବିଷ୍ୟତର ରାଜନେତା ତିଆରି ହୋଇଥାନ୍ତି । ପରବର୍ତି ସମୟରେ ବିଧାୟକ, ସାଂସଦ, ମନ୍ତ୍ରୀ ବନିଥାନ୍ତି । କିନ୍ତୁ ଶିକ୍ଷାନୁଷ୍ଠାନ ପରିସରରେ ବିଶୃଂଖଳା ସୃଷ୍ଟି ହେବା ଆଶଙ୍କାରେ ଏହି ଛାତ୍ର ସଂସଦ ନିର୍ବାଚନ ନକରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ତେବେ ସରକାରଙ୍କ ଏହି ନିଷ୍ପତିକୁ ଚ୍ୟାଲେଞ୍ଜ ହୋଇଥିବା ଏକ ଜନସ୍ୱାର୍ଥମାମଲାର ଯାହାକୁ ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ନୋଟିସ୍ କରିଛନ୍ତି ହାଇକୋର୍ଟ ।

Kanak News is now on WhatsApp
Join and get latest news updates delivered to you via WhatsApp
ଗତ ୫ବର୍ଷ ହେଲା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉ ନାହିଁ । ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାର ଅନୁମତି ଦେଉନାହାନ୍ତି । ଏଭଳି ନିଷ୍ପତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ, ଏକ ସପ୍ତାହ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ଛାତ୍ର ସଂଗଠନ ।
ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବନି, ସ୍ପଷ୍ଟ ହେବା ପରେ କିଛି ଦିନ ତଳେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରାଯାଇଥିଲା । ଛାତ୍ର ସଂଗଠନର ବିରୋଧ ଯୋଗୁଁ ଉଠୁଥିଲା ପଡୁଥିଲା ରାଜଧାନୀ । ଏବିଭିପି, ଛାତ୍ର କଂଗ୍ରେସ, ଏଆଇଏସଏଫ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ଦାବିରେ ପ୍ରତିବାଦ କରାଯାଇଥିଲା । କିନ୍ତୁ ସରକାର ଛାତ୍ର ସଂଗଠନଗୁଡିକର ଦାବି ନଶୁଣିବାରୁ, ଏବିଭିପି ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଛାତ୍ର ସଂସଦ ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା ହୋଇଥିବାରୁ, ସରକାରଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପିଆଇଏଲରେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।