ଆମ ପିଲାଙ୍କୁ ଆମେ ଏଠାରେ ପାଠ ପଢାଇବୁନି । ଗୋବିନ୍ଦଙ୍କ କଲେଜରୁ ଟିସି ନେଉଛନ୍ତି ଛାତ୍ରଛାତ୍ରୀଙ୍କ ଅଭିଭାବକ

262

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ମମିତା ମୃତ୍ୟୁ ମାମଲାରେ ଗୋବିନ୍ଦ ସାହୁ ଗିରଫ ହେବା ପରେ ଏବଂ କଲେଜ ଭିତରେ ଜୌନ କେଳେଙ୍କାରୀ ଅଭିଯୋଗ ଆସିବା ପରେ କଲେଜରେ ପହଞ୍ଚିଛନ୍ତି ଛାତ୍ରଛାତ୍ରୀଙ୍କ ଅଭିଭାବକ । ମହାଲିଙ୍ଗ କଲେଜରୁ ଟିସି ନେଇ ଅଲଗା କଲେଜରେ ଆଡମିଶନ କରିବା ପାଇଁ ଅଭିଭାବକ ମହାଲିଙ୍ଗ କଲେଜରେ ପହଞ୍ଚିଛନ୍ତି ।
ଶିକ୍ଷାର ମନ୍ଦିରରେ ଗୋବିନ୍ଦ ସାହୁଙ୍କ ଜୌନ କେଳାଙ୍କାରୀ ପାଇଁ ଆଜି ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ପ୍ରାୟ ସବୁ କଲେଜରେ ଆଡମିଶନ୍ ସରିଯାଇଥିବା ବେଳେ ଏବେ ମହାଲିଙ୍ଗ କଲେଡଜରୁ ଟିସି ନେଇ ଏହି ଛାତ୍ରଛାତ୍ରୀ କେଉଁ କଲେଜରେ ଆଡମିଶନ କରିବେ ଏବଂ କେଉଁ କଲେଜ ଏହି ଛାତ୍ରଛାତ୍ରୀଙ୍କୁ ସିଟ୍ ଦେବ ସେନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଭିଭାବକଙ୍କ କହିବା ଅନୁସାରେ, ଆମେ ଆମ ପିଲାଙ୍କ ଭବିଷ୍ୟତ ଅନ୍ଧାର ଘେରକୁ ଠେଲି ଦେବାକୁ ଚାହୁଁନୁ । ମହାଲିଙ୍ଗ କଲେଜ ଏବେ ହତ୍ୟା ମାମଲା ଘେରରେ ରହିଛି । କେବେ ସ୍କୁଲ ଖୋଲିବ ସେନେଇ କୌଣସି ଠିକଠିକଣା ନାହିଁ । ସେଥିଲାଗି ଟିସି ନେବା ପାଇଁ ଆସିଛୁ । ଏହାସହିତ ଅଭିଭାବକମାନେ ଏହା ମଧ୍ୟ କହିଛନ୍ତି କି, ପୂର୍ବରୁ ତାଙ୍କ ପିଲାମାନେ ଏହି କଲେଜ ବାବଦରେ ଅନେକ ଅଭିଯୋଗ ଆଣିଥିଲେ । ଏଠାରେ କଲେଜର ନିୟମ ନମାନିଲେ ଅତ୍ୟାଚାର କରାଯାଉଥିବା କଥା ପିଲା ତାଙ୍କର ଅଭିଭାବକଙ୍କ ସହ ଆଲୋଚନା କରିଥିବା କଥା କ୍ୟାମେରା ଆଗରେ କହିଛନ୍ତି ଅଭିଭାବକ ।
ସେପଟେ, ଏହି କଲେଜର ଚାକଚକ୍ୟକୁ ନେଇ ପ୍ରଶ୍ନ ଉଠିଛି କି, ଏକ ବେସରକାରୀ କଲେଜ ପାଖକୁ ଏତେ ଟଙ୍କା କେଉଁଠୁ ଆସୁଥିଲା । ସରକାରୀ କଳ ଏଠାରେ କାମ କରୁନଥିଲା ତ? ଏହିଭଳି ଅନେକ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଛି ।