କନକ ବ୍ୟୁରୋ : ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବ ଟିକା । ତେବେ ଏହାପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ପାଇଁ ଏକ ନିର୍ଦ୍ଦିଷ୍ଟ ଟିକାକରଣ କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦିଆଯିବ । ଏହାସହ ପୂର୍ବରୁ ଯେଉଁ ଟିକାକେନ୍ଦ୍ର ଅଛି ସେଠାରେ ଦିନ ୮ଟାରୁ ୧ଟା ପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦିଆଯିବ । ଅପରାହ୍ନରେ ଅନ୍ୟମାନଙ୍କୁ ଟିକା ଦିଆଯିବ ।

Advertisment

୨୦୦୭ କିମ୍ବା ତା ପୂର୍ବରୁ ଜନ୍ମଗ୍ରହଣ କରିଥିବା ପିଲାଙ୍କୁ କେବଳ ଟିକା ଦିଆଯିବ । ତେବେ ଯେଉଁ ପିଲାଙ୍କର ଅନ୍ୟ କୌଣସି ପ୍ରମାଣପତ୍ର ନଥିବ ସେମାନେ ସ୍କୁଲ ଆଇକାର୍ଡ ଦେଖାଇ ପଞ୍ଜିକରଣ କରିବା ସହ ଟିକା ନେଇପାରିବେ । ପିଲାମାନଙ୍କୁ କେବଳ କୋଭାକ୍ସିନ ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଆସନ୍ତା ଜାନୁଆରୀ ପହିଲାରୁ ଅନଲାଇନରେ ୧୫ରୁ ୧୮ ବର୍ଷ ବୟସ୍କ ପିଲା ପଞ୍ଜିକରଣ କରିପାରିବେ । ସେହିଭଳି ଆସନ୍ତା ୩ ତାରିଖରେ ଅନସାଇଟରେ ପଞ୍ଜିକରଣ କରି ଟିକା ନେଇପାରିବେ । ୧୫ରୁ ୧୮ ବର୍ଷ ପିଲାଙ୍କୁ କୋଭାକ୍ସିନର ଦୁଇଟି ଡୋଜ ଟିକା ଦିଆଯିବ । ପ୍ରଥମ ଡୋଜ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ଟିକା ଦିଆଯିବ । ଏହାବାଦ୍ ସ୍କୁଲରେ ସ୍ୱତନ୍ତ୍ର ଟିକା କେନ୍ଦ୍ର ଖୋଲିବ କି ନାହିଁ ତାହାର ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।

ସେହିଭଳି ଆସନ୍ତା ୧୦ ତାରିଖରେ ୬୦ ବର୍ଷରୁ ଉଦ୍ଧ୍ୱର୍ ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ତୃତୀୟ ଡୋଜ ଟିକା ଦିଆଯିବ । ୬୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ତୃତୀୟ ଡୋଜ ଟିକା ପାଇଁ କୌଣସି ଡାକ୍ତରୀ ସାର୍ଟିିଫିକେଟ ଆବଶ୍ୟକ ନାହିଁ କେବଳ ଡାକ୍ତରଙ୍କ ପରାମର୍ଶ ନେଇ ଟିକା ନେଇପାରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।