ସୁନ୍ଦରୀ ବିଦ୍ୟାଳୟର ଅସୁନ୍ଦର କଥା ! ପାଠପଢା ବଦଳରେ ପରିବାର କାଟୁଛନ୍ତି ଛାତ୍ରୀ । ପ୍ରଧାନଶିକ୍ଷୟିତ୍ରୀଙ୍କ ହୁକୁମଗିରି, କାମ ନକଲେ ମିଳୁଛି ମାଡ ଧମକ

ଅଭିଯୋଗ କଲେ ଛାତ୍ରୀ, ସ୍ୱୀକାର କଲେ ଅନ୍ୟ ଶିକ୍ଷୟତ୍ରୀ; ମାନିବାକୁ ନାରାଜ ଦିଦି

455

କନକ ବ୍ୟୁରୋ: ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିବା କୁନିକୁନି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ପରିବା କଟାଉଛନ୍ତି ପ୍ରଧାନଶିକ୍ଷୟତ୍ରୀ । ଛାତ୍ରୀମାନେ ଆଳୁ କାଟୁଥିବାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ସାମନାକୁ ଆସିଛି । ଏପରିକି ପରିବା କାଟିବାବେଳେ ଆଙ୍ଗୁଟି କାଟି ହୋଇଯାଇଥିବା ଦେଖାଇଛନ୍ତି ଦୁଇ ଛାତ୍ରୀ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିନ୍ଦୁରି ୟୁଜିୟୁପି ବିଦ୍ୟାଳୟର ଛାତ୍ରୀ ।

ପିଲାମାନେ ଏହି ଅଭିଯୋଗ ଆଣିଥିବାବେଳେ ସ୍କୁଲର ଅନ୍ୟ ଶିକ୍ଷୟତ୍ରୀ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି । କେବଳ ଏତିକି ନୁହେଁ ସ୍କୁଲର ଟଏଲେଟ୍ ସଫା କରିବା କାମରେ ମଧ୍ୟ ପ୍ରଧାନଶିକ୍ଷୟତ୍ରୀ ଲଗାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ସ୍କୁଲରେ ୧୮୦ ପିଲା ପାଠ ପଢ଼ନ୍ତି । ସେମାନଙ୍କ ପାଇଁ ରହିଛନ୍ତି ୧୨ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ । ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ରୋଷେୟା ମଧ୍ୟ ନିଯୁକ୍ତ ହୋଇଛନ୍ତି । ହେଲେ ପାଠପଢ଼ିବାକୁ ଆସିଥିବା ପିଲାମାନଙ୍କ ଦ୍ୱାରା ଏଭଳି କାର୍ଯ୍ୟ କରାଉଛନ୍ତି ପ୍ରଧାନଶିକ୍ଷୟତ୍ରୀ । ଏହାକୁ ପାଚିକା ମଧ୍ୟ ସ୍ୱୀକାର କରିଛନ୍ତି ।

ତେବେ ପ୍ରଧାନଶିକ୍ଷୟତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଚାହିଁବାରୁ ଉତର ନରଖି ଆମ ପ୍ରତିନିଧିଙ୍କୁ ଓଲଟା ଦୁବ୍ୟବହାର କରିଛନ୍ତି । ଅଭିଯୋଗକୁ ଖଣ୍ଡନ କରିବା ସହ ଜାଣିଶୁଣି ଜଣେ ଶିକ୍ଷୟତ୍ରୀ ଏଭଳି କରିଥିବା ସେ ପାଲଟା ଅଭିଯୋଗ କରିଛନ୍ତି । ହେଲେ ପ୍ରକୃତ ଘଟଣାର ସତ୍ୟତା ଭିଡିଓ ହିଁ ବୟାନ କରୁଛି । ତେବେ ପ୍ରଶ୍ନ ଉଠୁଛି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଅନୁମତି ଦେଲା କିଏ?