କନକ ବ୍ୟୁରୋ : ଅବ୍ୟବସ୍ଥା ଘେରରେ ଏକଲବ୍ୟ ମଡେଲ ବିଦ୍ୟାଳୟ । ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ତାତିଲେ ଛାତ୍ରଛାତ୍ରୀ । ଉଦଳା ଧାନଘେରା ଏକଲବ୍ୟ ମଡେଲ ବିଦ୍ୟାଳୟରେ ସମସ୍ୟା ଲାଗି ରହିଛି । ସ୍କୁଲ ପ୍ରିନ୍ସିପାଲ ବିଭିନ୍ନ ସମୟରେ ଛାତ୍ରୀଙ୍କୁ ଅଶୋଭନୀୟ ଆଚରଣ କରୁଥିବା ଅଭିଯୋଗ କରି ଧାରଣାରେ ବସିଛନ୍ତି ସ୍କୁଲର ଛାତ୍ରଛାତ୍ରୀ ।
ମୟୂରଭଞ୍ଜ ଜିଲ୍ଲା ଉଦଳା ଧାନଘେରା ଏକଲବ୍ୟ ମଡେଲ ବିଦ୍ୟାଳୟରେ ଅବ୍ୟବସ୍ଥା ଏବଂ ପ୍ରିନ୍ସିପାଲଙ୍କ ବିରୋଧରେ ତାତିଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟର ପ୍ରିନ୍ସିପାଲ ବିଭିନ୍ନ ସମୟରେ ଛାତ୍ରୀମାନଙ୍କ ପ୍ରତି ଅଶୋଭନୀୟ ଆଚରଣ କରିବା ସହିତ ସେମାନଙ୍କ ଚୁଟି ଧରୁଥିବାର ଅଭିଯୋଗ ହୋଇଛି । ଏହାସହ ବିଭିନ୍ନ ସମୟରେ ବାଳକମାନେ, ବାଳିକା ହଷ୍ଟେଲ ଭିତରକୁ ପଶୁଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରୀ । ବିଦ୍ୟାଳୟରେ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ଏବଂ ଅବଧି ଶେଷ ହୋଇଥିବା ଖାଦ୍ୟ ପ୍ୟାକେଟ ମଧ୍ୟ ଦିଆଯାଉଛି ।
ସ୍କୁଲ ଅବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା, କିଛି ସମାଧାନ ନହେବାରୁ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଦ୍ୟାଳୟ ଗେଟ ବାହାରେ ବିକ୍ଷୋଭ କରିବା ସହ ଧାରଣା ଦେଇଛନ୍ତି । ତେବେ ପ୍ରିନ୍ସିପାଲଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରିନ୍ସିପାଲ ଖଣ୍ଡନ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କ ଡ୍ରେସ୍ କୋର୍ଡ ମିଳିବାରେ ବିଳମ୍ବ ହୋଇଥିବାରୁ ସେମାନେ ଧାରଣା ଦେଇଥିବା କହିଛନ୍ତି । ଅନ୍ୟପଟେ ଖୁଂଟା ମଙ୍ଗଳ ସଂପ୍ରସାରଣ ଅଧିକାରୀ ପିଲାଙ୍କ ସହିତ ଆଲୋଚନା କରିଥିଲେ ସୁଦ୍ଧା ଧାରଣା ଜାରି ରହିଛି ।
ମଡେଲ ବିଦ୍ୟାଳୟରେ ଖାଲି ଅବ୍ୟବସ୍ଥା ଆଉ ଅବ୍ୟବସ୍ଥା । ସମସ୍ୟା ଭିତରେ ପାଠ ପଢିବାକୁ ହେଉଛି । ତେଣୁ ବିଦ୍ୟାଳୟରେ ଥିବା ସମସ୍ୟାର ସମାଧାନ ନହେବା ଯାଏଁ ଧାରଣା ଜାରି ରହିବ ବୋଲି ଚେତାଇ ଦେଇଛନ୍ତି ଛାତ୍ରଛାତ୍ରୀ ।